କ୍ୟାପିଟାଲ ହସ୍ପିଟାଲରେ ଆନ୍ଦୋଳନ: ହନ୍ତସନ୍ତ ହେଲେ ରୋଗୀ ଓ ସଂପର୍କୀୟ

42

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ତାଙ୍କ ପରିବାର । କାରଣ ବିଭିନ୍ନ ସେବା ଯୋଗାଉଥିବା କର୍ମଚାରୀମାନେ କାମ ଛାଡି ଆନ୍ଦୋଳନ କରୁଛନ୍ତି । ସେମାନଙ୍କ ଅଭିଯୋଗ, ଯେଉଁ ଆଉଟ୍ ସୋର୍ସିଂ ସଂସ୍ଥା ସେମାନଙ୍କୁ କାମରେ ଲଗାଇଛନ୍ତି । ଠିକ୍ ସମୟରେ ଦରମା ଦେଉନାହାନ୍ତି । ତେଣୁ ଦରମା ନଦେଲେ କାମ କରିବୁ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି, ଆଟେଂଡାଂଟ, ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ।

ଷ୍ର୍ଟ୍ରେଚରରେ ଶୋଇଛନ୍ତି ବୃଦ୍ଧା । ପାଖରେ ଜଗି ରହିଛନ୍ତି ବୋହୁ ସୁଲୋଚନା । ପୁରୀ ଜିଲ୍ଲା ଡେଲାଙ୍ଗରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆସିଛନ୍ତି ସୁଲୋଚନା । କାଜୁଆଲ୍ଟିରେ ଶାଶୁଙ୍କୁ ଦେଖାଇବା ପରେ ୱାର୍ଡକୁ ନେବା ପାଇଁ କହିଲେ ଡାକ୍ତର । କିନ୍ତୁ କେଉଁଠାକୁ ଯିବେ? କେଉଠିଁ ଭର୍ତି କରାଯିବ ? ସେ କଥା ଜଣାନାହିଁ । ପରିବାରର ଅନ୍ୟ ସଦସ୍ୟ ୱାର୍ଡ ଖୋଜିବାକୁ ଗଲାବେଳେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏମିତି ଷ୍ର୍ଟ୍ରେଚରରେ ଶାଶୁଙ୍କୁ ନେଇଚାଲିଛନ୍ତି ସୁଲୋଚନା ସାହୁ । କେବଳ ସୁଲୋଚନା ନୁହେଁ ତାଙ୍କ ଭଳି ଶତାଧିକ ରୋଗୀଙ୍କ ପରିବାରର ସମାନ କାହାଣୀ । କିଏ ଷ୍ର୍ଟ୍ରେଚରରେ ରୋଗୀଙ୍କୁ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ନେଉଛନ୍ତି ତ ଆଉ କିଏ ହ୍ୱି୍ୱିଲ ଚେୟାରରେ ନିଜ ସମ୍ପର୍କୀୟଙ୍କୁ ନେଉଛନ୍ତି ।

ରୋଗୀଙ୍କୁ ଷ୍ର୍ଟ୍ରେଚର କିମ୍ବା ହ୍ୱିିଲ ଚେୟାରରେ ନେବା ଆଣିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ନିୟୋଜିତ ଅଛନ୍ତି ଆଟେଣ୍ଡାଂଟ । କିନ୍ତୁ ବିଡମ୍ବନାର କଥା । ଦରମା ନପାଇବାରୁ ଏମାନେ କାମ ବନ୍ଦ କରିଦେଇଛନ୍ତି । କେବଳ ଆଟେଣ୍ଡାଂଟ ନୁହେଁ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଓ ସିକ୍ୟୁରୁଟି ଗାର୍ଡ ବି କରିଛନ୍ତି ବିକ୍ଷୋଭ । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ରୋଗୀଙ୍କ ସମ୍ପର୍କୀୟ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଆଉଟସୋର୍ସିଂ ସଂସ୍ଥା ଦରମା ଦେବାକୁ ବିଳମ୍ବ କରିବା ସହ କର୍ମଚାରୀଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଠିକା ସଂସ୍ଥା ବିରୋଧରେ ଧାରଣା ଦେଇଛନ୍ତି ଶତାଧିକ କର୍ମଚାରୀ । ସମସ୍ୟାର ସମାଧାନ ପାଇଁ ଠିକା ସଂସ୍ଥାର ପରିଚାଳକ ଘଟଣାସ୍ଥଳରେ ପହଂଚିଲା ବେଳକୁ ତାଙ୍କୁ ବି ଘେରିଯାଇଥିଲେ ଆନ୍ଦୋଳନକାରୀ । ଶେଷରେ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ପୋଲିସ ।

‘ପ୍ରଥମେ ଦରମା ଦିଅ ତାପରେ କାମ କରିବୁ’ ଏହି ଜିଦରେ ଅଟଳ ଥିଲେ କର୍ମଚାରୀ । ତେବେ ଦରମା ଦେବାରେ କାହିଁକି ବିଳମ୍ବ ହେଉଛି ଏନେଇ ଠିକା ସଂସ୍ଥାର ଅଧିକାରୀଙ୍କୁ ପଚାରିବାରୁ ମେଡିକାଲ କର୍ତୃପକ୍ଷଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ଠିକା ସଂସ୍ଥାର ଅବହେଳା ପାଇଁ ଏଭଳି ସମସ୍ୟା ଉପୁଜୁ ଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷା ।

ଗତ ୩ ମାସ ହେବ ଠିକା ସଂସ୍ଥାର ଅବହେଳା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି । ସଫେଇ କର୍ମଚାରୀ ଦରମା ପାଇନଥିବାରୁ ସଫେଇ କାମ ବନ୍ଦ କରିଦେଉଛନ୍ତି । ମେଡିକାଲ ଭିତରେ ସୃଷ୍ଟି ହେଉଛି ଅପ୍ରିତିକର ପରିସ୍ଥିତି । ଠିକା ସଂସ୍ଥା ଓ କର୍ମଚାରୀଙ୍କ ଶୀତଳ ଯୁଦ୍ଧରେ ପେଶି ହେଉଛନ୍ତି ନିରୀହ ରୋଗୀ ଓ ତାଙ୍କ ସଂପର୍କୀୟ ।