କନକ ବ୍ୟୁରୋ: ଖରାରେ ସିଝୁଛି ରାଜ୍ୟ । ଆଉ ଏହି ସମୟରେ ଅଘୋଷିତ ବିଦ୍ୟୁତକାଟ୍ ନୂଆ ସମସ୍ୟା ଆଣିଛି । କେଉଁଠି ଘଂଟା ଘଂଟା ଧରି ବିଜୁଳି କଟୁଛି ତ ଅନ୍ୟ କେଉଁଠି ଅଭିଯୋଗ ଆସିଲେ ବି କର୍ତୃପକ୍ଷ ଶୁଣୁନାହାନ୍ତି । ଯାହାକୁ ନେଇ ତାତିଛନ୍ତି ଲୋକ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସିଛି ।

Advertisment

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟି ହେଉଛି ସାରା ରାଜ୍ୟ । ଅସହ୍ୟ ଗରମ ଓ ଗୁଳଗୁଳି ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି । ଏଭଳି ସମୟରେ ବିଜୁଳି ବିଭ୍ରାଟ ଗ୍ରୀଷ୍ମପ୍ରବାହ ଜନିତ କଷ୍ଟକୁ ଦୁଇ ଗୁଣ ବଢାଇ ଦେଉଛି ।

ଗାଡିରେ ଟାଟା ପାୱାରର ଯନ୍ତ୍ରୀ । ଆଉ ଗାଡି ଚାରିପଟେ ଉତ୍ୟକ୍ତ ଗ୍ରାମବାସୀ । ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଛନ୍ତି । ଯନ୍ତ୍ରୀଙ୍କ ଖାମଖିଆଲି ନୀତିକୁ ଦାୟୀ କରି ଘଂଟା ଘଂଟା ଧରି ଗାଁରେ ଅଟକ ରଖିଲେ ଗ୍ରାମବାସୀ । ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ ଦେଖିବାକୁ ମିଳିଛି ଏହି ଅପ୍ରୀତିକର ଦୃଶ୍ୟ । ତିନି ଦିନ ହେଲା ବିଦ୍ୟୁତ ସରବରାହ ବିଭ୍ରାଟ ହେବାରୁ ଚାନ୍ଦିପୁଟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ସେହି ସମୟରେ ଗାଁକୁ ଆସିଥିଲେ ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ସାହୁ । ଗାଁଲୋକ ତାଙ୍କୁ ୩ ଘଂଟା କାଳ ଅଟକ ରଖିଥିଲେ । ବିଦ୍ୟୁତ ସଂଯୋଗ ଠିକ ହେବା ପରେ ଆଗକୁ ଏଭଳି ଅଘୋଷିତ ବିଦ୍ୟୁତ କାଟ ହେବନି ବୋଲି ପ୍ରତିଶ୍ରୁତି ଦେବା ପରେ ଯନ୍ତ୍ରୀଙ୍କୁ ଗାଁଲୋକ ଛାଡିଥିଲେ ।

୪ ଦିନ ହେଲା ଖରାପ୍ ହୋଇ ପଡିଛି ଟ୍ରାନ୍ସଫର୍ମର । ବିଜୁଳି ନାହିଁ ପିଲାଠୁ ବୁଢା ସମସ୍ତେ ଡହ ଡହ ଖରାରେ ସନ୍ତୁଳି ହୋଉଛନ୍ତି । ଦେହରୁ ଗମ ଗମ ଝାଳ ବାହାରୁଛି । ଝାଞି ଖରାରେ ଗାଁର ପୁରୁଷ ମହିଳାମାନେ ଛୋଟ ପିଲାଙ୍କୁ ଧରି ଗଛ ମୂଳେ ବସୁଛନ୍ତି । ଏଭଳି ଡହ ଡହ ଖରାରେ ବିକଳ ଚିତ୍ର ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ପଂଚାୟତର ଗଜାବର ଗାଁରେ । ୪ଦିନ ହେଲା ବିଜୁଳି ନଥିବାରୁ ଗାଁର ୬୦ ପରିବାର ହଇରାଣ ହେଉଛନ୍ତି । ବାରମ୍ବାର ବିଦ୍ୟୁତ କର୍ମଚାରୀ ଓ ବିଦ୍ୟୁତ କାର୍ଯ୍ୟଳୟକୁ ଖରାରେ ଗାଁ ଲୋକେ ପହଁଚି ଗୁହାରୀ କଲେ ବି କିଛି ସଫଳ ମିଳୁ ନାହିଁ । ତୁରନ୍ତ ଟ୍ରାନସଫର୍ମର ସଜାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି । ଏପରି ସମୟରେ ବିଜୁଳି ବିଭ୍ରାଟ ହେଲେ ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି ।