ତାଲିବାନ ବିରୋଧରେ ତେଜୁଛି ବିଦ୍ରୋହ । ପଂଜଶିରରେ ଏକଜୁଟ ହେଲେ ଆଫଗାନ ସେନାଙ୍କ ସମେତ ପୂର୍ବତନ ଉପରାଷ୍ଟ୍ରପତି ଓ ପ୍ରତିରକ୍ଷା ମନ୍ତ୍ରୀ 

291

କନକ ବ୍ୟୁରୋ: କାବୁଲ ଉପରେ ଦଖଲ ଜମାଇବା ପରେ ସାରା ଆଫଗାନିସ୍ତାନ ଦଖଲ କରିଥିବା ଦାବି କରିଛି ତାଲିବାନ । ଆଫଗାନିସ୍ତାର ସବୁ କ୍ଷେତ୍ରରେ କବ୍ଚା କରିଥିବା ତାଲିବାନ ଦାବି କରୁଥିବାବେଳେ, ସେପଟେ କିନ୍ତୁ ତା ବିରୋଧରେ ଦାନାବାନ୍ଧିଲାଣି ପ୍ରତିରୋଧ ଶକ୍ତି । କାବୁଲ ଠାରୁ ମାତ୍ର ୧୦୦ କିଲୋମିଟର ଦୁରରେ ଥିବା ପଂଜଶିରରେ ଆରମ୍ଭ ହେଲାଣି ତାଲିବାନକୁ ଟକ୍କର ଦେବାର ପ୍ରକ୍ରିୟା ।

କାବୁଲ ଠାରୁ ମାତ୍ର ଶହେ କିଲୋମିଟର ଦୁର ଉତରରେ ଥିବା ଏହି କ୍ଷେତ୍ରରେ ପଶିପାରିନି ତାଲିବାନ । କାରଣ ଏହାକୁ ଜଗିଛି ତାଲିବାନର କଟ୍ଟୋର ବିରୋଧୀ ନେତା ଅହମ୍ମଦ ମାସୁଦ । ଆଉ ତାଙ୍କ ସହ ଯୋଗ ଦେଇଛନ୍ତି ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ସଲେହ । ମାସୁଦ ଓ ଅମରୁଲ୍ଲାହଙ୍କ ନେତୃତ୍ୱରେ ଏକଜୁଟ ହୋଇ ଅନେକ ଆଫଗାନ ନେତା ତାଲିବାନ ବିରୋଧରେ ଯୁଦ୍ଧର ଆହ୍ୱାନ ଦେଲେଣି । ସେପଟେ ତାଲିବାନ ସେନା ଠାରୁ ପରାସ୍ତ ହୋଇଥିବା ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଲୁଚି ରହିଥିବା ହଜାର ହଜାର ସଂଖ୍ୟାରେ ତାଲିବାନ ସେନା ପଂଜଶିରରେ ଏକଜୁଟ୍ ହୋଇଛନ୍ତି ।

କାବୁଲ ଉପରେ ତାଲିବାନ ଦଖଲ କରିବା ଆଗରୁ ଦେଶଛାଡି ଫେରାର ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି । ଆଉ ଏପଟେ ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ପଂଜଶିରରେ ପହଁଚି ତାଲିବାନ ବିରୋଧରେ ପ୍ରତିରୋଧର ସ୍ୱର ଉଠାଇଛନ୍ତି । ସେ କହିଛନ୍ତି ତାଲିବାନ ପାଖରେ କେବେବି ମୁଣ୍ଡ ନୁଆଁଇବେ ନାହିଁ ।

୧୯୯୬ ମସିହା ଠାରୁ ଭିନ୍ନ ରହିଛି ୨୦୨୧ର ଆଫଗାନିସ୍ତାନ । ଏବେ ଆଫଗାନ ବାସୀ ଚୁପଚାପ ତାଲିବାନର ଅତ୍ୟାଚାର ସହିବେ ନାହିଁ । ଫଳରେ ତାଲିବାନୀକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ମୁଣ୍ଡ ଟେକିଲାଣି ବିଦ୍ରୋହ । ଏପରିକି ବିଦ୍ରୋହୀ ସେନା ମିଳିତ ହୋଇ ତାଲିବାନ ଠାରୁ ତିନୋଟି ଜିଲ୍ଲାକୁ ଛଡାଇ ନେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ହା ମୁହମ୍ମଦି । ସେ କହିଛନ୍ତି – “ବିଦ୍ରୋହୀ ସେନା ତାଲାବାନୀ ସେନାଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ଠାରୁ ପୁଲ-ଇ-ହେସାର, ଦେହ ସଲାହ ଏବଂ ବାନୁ ଜିଲ୍ଲାକୁ ତାଲିବାନ କବଳରୁ ମୁକ୍ତ କରିଛନ୍ତି । ଦେଶରେ ପ୍ରତିରୋଧର ଶକ୍ତି ଏବେ ବି ବଂଚିଛି” ।

ପଂଜଶିରରେ ଥିବା ବିସମିଲ୍ହା ମୁହମ୍ମଦି ଆଫଗାନ୍ ସେନାକୁ ଏକଜୁଟ୍ କରୁଛନ୍ତି । ଆଉ ତାଙ୍କ ବିଦ୍ରୋହୀ ସେନା ଖୁବଶୀଘ୍ର ତାଲିବାନ କବଳରୁ ଆଫଗାନିସ୍ତାନକୁ ସ୍ୱାଧିନ କରିବ ବୋଲି ସେ କହିଛନ୍ତି ।