କନକ ବ୍ୟୁରୋ: ୩ ବର୍ଷ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି । ପ୍ରିୟଙ୍କା ଲଗାତାର ସୋସିଆଲ ମିଡିଆରେ ନିଜ ଭାରତ ଗସ୍ତର ଫଟୋ ସବୁ ଅପଲୋଡ କରିବାରେ ଲାଗିଛନ୍ତି । ହେଲେ ଲକ୍ଷ୍ନୌ ଗସ୍ତବେଳେ ପ୍ରିୟଙ୍କାଙ୍କୁ ବିରୋଧ କରାଯାଇଛି । ତାଙ୍କୁ ବିରୋଧ କରି ଚାରିଆଡେ ପୋଷ୍ଟର ଲଗାଯାଇଛି ।
ଲକ୍ଷ୍ନୌର ବିଭିନ୍ନ ସ୍ଥାନରେ ପ୍ରିୟଙ୍କାଙ୍କୁ ବିରୋଧ କରି ପୋଷ୍ଟର ଲାଗିଛି । ପୋଷ୍ଟରରେ ଲେଖାଯାଇଛି: ‘ ନବାବଙ୍କ ସହରରେ ତୁମର ସ୍ୱାଗତ ହେବନାହିଁ’ ‘You Are Not Welcome In City Of Nawabs' । ପ୍ରିୟଙ୍କା ୟୁନିସେଫର ଜାତୀୟ ଆମ୍ବାସାଡାର ଥିବାରୁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନକୁ ବିଶେଷ କରି ସ୍ୱାସ୍ଥ୍ୟକେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ସେ ଲକ୍ଷ୍ନୌ ଆସିଥିଲେ । ହେଲେ ଏଠାରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଛି ।
ଏପରି ବିରୋଧ ପୋଷ୍ଟର କିଏ ଲଗାଇଛି ଓ କାହିଁକି ଲଗାଇଛି ସେନେଇ କିଛି ଜଣାପଡନିଥିବାବେଳେ ପୋଲିସ ଘଟଣାର ଛାନବିନ୍ କରୁଛି । ସୂଚନା ମୁତାବକ, ନିକଟରେ ମିସ୍ ବାର୍ବାଡୋର ନିକଟରେ ଏକ ଭିଡିଓ ଜାରି କରି ପ୍ରିୟଙ୍କା ମିସ୍ ୱାର୍ଲ୍ଡ ହେବା ପଛରେ ହୋଇଥିବା ଫିକ୍ସିଙ୍ଗ ବିଷୟରେ ଖୁଲାସା କରିଥିଲେ ।