ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ । କୋଶଳ ସେନା ଚିରିଲା ପୋଷ୍ଟର ଏବଂ ବ୍ୟାନର । ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ଫିଲ୍ମର ପ୍ରଯୋଜିକା ।

247

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଫିଲ୍ମ ପ୍ରଥାକୁ ବିରୋଧ କରି ଏହାର ପୋଷ୍ଟର ଚିରା ଯିବା ପରେ ବିବାଦ ତେଜିଛି । ପୋଷ୍ଟର ଚିରାଯିବା ପରେ ଫିଲ୍ମକୁ ହଲରୁ ଉଠାଇ ଦିଆଯାଇଥିଲା । ଏଥିପାଇଁ ଫିଲ୍ମର ପ୍ରଯୋଜକ ସାନଲିସା ପଟେଲ ସିଧାସଳଖ ମନୋଜ ମିଶ୍ରଙ୍କୁ ଦାୟୀ କରିଛନ୍ତି । ସେ ମନୋଜ ମିଶ୍ରଙ୍କ ଗିରଫ ଦାବି କରିଛନ୍ତି । ଗତକାଲି ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରିମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଲ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ ।

  • ମାଲ୍ୟଗିରି ପରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିଲେ
  • ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ କାନ୍ଦିଲେ

ଜଣେ ଫିଲ୍ମ ନିର୍ମାତା ସାମ୍ବାଦିକ ସମ୍ମିଳନୀ କରି କାନ୍ଦୁଥିବାର ଚିତ୍ର ସାରା ଓଡି଼ଶା ମନରେ ଉଦବେଗ ତିଆରି କରିଛି । କାନ୍ଦିକାନ୍ଦି ପ୍ରଥା ଫିଲ୍ମକୁ ହଲରୁ ଓହ୍ଲାଇ ନେବାକୁ ଘୋଷଣା କରିଛନ୍ତି ପ୍ରଯୋଜକ ସାନଲିସା ପଟେଲ । କାରଣ ପ୍ରିମିୟର ହେବାକୁ ଥିବାବେଳେ ଝାରସୁଗୁଡାରେ ତାଙ୍କ ଫିଲ୍ମର ପୋଷ୍ଟରକୁ ଚିରି ଦିଆଯାଇଛି । ଆଉ ବଡକଥା ହେଉଛି ଏହା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ଅଭିଯୋଗ କରି ତାଙ୍କର ଗିରଫଦାରି ଦାବି କରିଛନ୍ତି ସାନଲିସା ।

ଓଲିଉଡରେ କଳାକାରଙ୍କ କଳି ଏବେ ଫିଲ୍ମଗୁଡିକ ଉପରେ ପଡୁଛି । କାରଣ ଝାରସୁଗୁଡାରେ ଓଡିଆ ଫିଲ୍ମକୁ ବିରୋଧ ଦେଖିବାକୁ ମିଳିଛି । ଝାରସୁଗୁଡା ଶିବା ମଲ୍ଟିପ୍ଲେକ୍ସରେ ଲାଗିଥିବା ‘ପ୍ରଥା’ ଫିଲ୍ମର ପୋଷ୍ଟରକୁ କୋଶଳ ସେନା ଚିରିଥିବା ଅଭିଯୋଗ ହୋଇଛି  । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡାର ଶିବା ହଲରେ ପ୍ରମିୟର ସୋ ଲଞ୍ଚ୍ ହେବାର ଥିଲା  । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଳ ସେନା, ସେଠାରେ ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିବା କୁହାଯାଉଛି । କିନ୍ତୁ ଏହା ପଛରେ ମନୋଜ ମିଶ୍ରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସାନ୍ଲିସା ।

ଅରିନ୍ଦିମଙ୍କ ଅଭୀନିତ ରାମ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ପ୍ରଯୋଜକ ସଂଘ ଦାୟୀ କରି ୨ ବର୍ଷର ବ୍ୟାନ ଲଗାଇଥିଲା । ପୁଣି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବାବୁସାନ ଅଭିନୀତ ମାଲ୍ୟଗିରିର ପୋଷ୍ଟର ଚିରିବା ଓ ଜାଳିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏବେ ପୁଣି ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ପରେ ଏଥିପାଇଁ ମନୋଜ ମିଶ୍ରଙ୍କୁ ଫିଲ୍ମର ପ୍ରଯୋଜକ ଦାୟୀ କରିବା ନୂଆ ବିବାଦ ସୃଷ୍ଟି କରିଛି । ଓଡିଆ ଫିଲ୍ମ ଜଗତ ଭଲ ଫିଲ୍ମ କିମ୍ବା ଭଲ କାମକୁ ନେଇ ଚର୍ଚ୍ଚା ସାଉଁଟିବା ପରିବର୍ତେ କଳାକାରଙ୍କ ଭିତରେ କଳିକୁ ନେଇ ଚର୍ଚ୍ଚାର କାରଣ ପାଲଟିଛି । ତେଣୁ ପ୍ରଶ୍ନ ଉଠୁଛି….

  • ଏହା ଓଡ଼ିଆ ଫିଲ୍ମ ଜଗତକୁ ଆଗକୁ ନେବ ନା ଆହୁରି ପଛକୁ ଠେଲିଦେବ?
  • ଅନ୍ୟ ଆଞ୍ଚଳିକ ଭାଷାର ଫିଲ୍ମ ସହ ପ୍ରତିଯୋଗିତା କରିପାରିବ ନାହିଁ କି?
  • କୋଭିଡ୍ ପରେ ମୁଣ୍ଡ ଟେକୁଥିବା ସିନେମା ଜଗତ ପୁଣି ପୂର୍ବାବସ୍ଥାକୁ ଫେରି ଯିବନି ତ?