ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ । ବିରୋଧୀ ହିଂସାରେ ୪ ମୃତ । ଅନେକ ଆହତ

289

କନକ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ବାଂଲାଦେଶ ଗସ୍ତ କରିଛନ୍ତି । ତାଙ୍କର ଏହି ଗସ୍ତକୁ ବାଂଲାଦେଶର ଗୋଟିଏ ଗୋଷ୍ଠୀ ବିରୋଧ କରିଛି । ଶୁକ୍ରବାର ଦିନ ଏହି ବିରୋଧ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାସହ ଅନେକ ଲୋକ ଆହତ ହୋଇଛନ୍ତି । ମୋଦି ବାଂଲାଦେଶର ୫୦ ତମ ସ୍ୱାଧିନତା ଦିବସ ପାଳନ ଅବସରରେ ସେଠାରେ ଉପସ୍ଥିତ ହୋଇଛନ୍ତି । ମୋଦି ବାଂଲାଦେଶରେ ପହଂଚିବା ପରେ ଚଟଗାଓଁ ଜିଲ୍ଲାରେ ଥିବା ଏକ ମାଦ୍ରାସାର ଛାତ୍ର ଓ ଇସଲାମିକ ସମୁହ ତାଙ୍କ ଗସ୍ତକୁ ବିରୋଧ କରି ରାସ୍ତାରେ ହୋହାଲ୍ଲା କରିଥିଲେ । ଏନେଇ ପୋଲିସ ସହିତ ତାଙ୍କର ଧସ୍ତା ଧସ୍ତି ହୋଇଥିଲା । ଏହି ହିଂସାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କଥା କୁହାଯାଇଛି ।

ଚଟଗାଓଁ ମେଡିକାଲ କଲେଜ ହସ୍ପିଟାଲରେ ନିୟୋଜିତ ଥିବା ପୋଲିସ ଅଧିକାରୀ ଆଲ୍ଲାଓଦ୍ଦିନ ତାଲୁକଦାର କହିଛନ୍ତି କି ଏହି ହିଂସା ପରେ ୫ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଆଡମିଶନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶ ଗଣମାଧ୍ୟମର ସୂଚନା ମୁତାବକ ଇସଲାମ ସମୁହ ହିଫାଜତ୍-ଏ ଇସଲାମ୍ ର ସଦସ୍ୟ ମାନେ ଚଟଗାଓଁ ହଥାଜାରୀ ଅଞ୍ଚଳରେ ଥିବା ଥାନା ସମେତ ସରକାରୀ ଭବନ ଉପରେ ଆକ୍ରମଣ କରିଥିଲେ । ଏହାପରେ ପୋଲିସ ଏହାର ଜବାବ୍ ଦେବାକୁ ଯାଇ ସେମାନଙ୍କ ଉପରେ ଲାଠି ଚଳାଇଥିଲା ।

କହିରଖୁ କି ଶୁକ୍ରବାର ଦିନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନିମନ୍ତ୍ରଣରେ ମୋଦି ବାଂଲାଦେଶରେ ପହଂଚିଥିଲେ । ହେଲେ ପ୍ରଧାନମନ୍ତ୍ରୀ ସେଠାରେ ପହଂଚିବାର କିଛିଦିନ ଆଗରୁ କିଛି ମୁସଲିମ୍ ନେତା ଓ ବାମପନ୍ଥୀ ଦଳ ମାନେ ମୋଦିଙ୍କ ଗସ୍ତକୁ ବିରୋଧ କରି ସେଠାରେ ରାଲି ଓ ସଭାମାନ କରୁଥିଲେ । ସେମାନେ କହିଥିଲେ କି ଶେଖ୍ ମୁଜିବିର ରହମାନ ବାଂଲାଦେଶକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କରିବାକୁ ଅନେକ ସଂଘର୍ଷ କରୁଥିବା ବେଳେ ମୋଦି ଜଣେ ସାଂପ୍ରଦାୟିକ ନେତା ।