ଗେଟରେ ଜଗିଥିଲେ କଂଗ୍ରେସ ବିଧାୟକ । ହେଲେ ଗୃହ ଭିତରୁ ବାହାରିଲେ ମନ୍ତ୍ରୀ ।

184

କନକ ବ୍ୟୁରୋ : ଏପଟେ ବାତ୍ୟାକୁ ନେଇ ଭୟ ସେପଟେ ବିଧାନସଭାରେ ଝଡ । ଶୀତ ଅଧିବେଶନର ପ୍ରଥମ ଦିନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ଏହାକୁ ନେଇ ଗୃହ ବାହାର ଦୃଶ୍ୟ କୌଣସି ଡ୍ରାମା ଠାରୁ କମ୍ ନଥିଲା । କଂଗ୍ରେସ ବିଧାୟକମାନେ ବିଧାନସଭା ଗେଟରେ ତାଲା ପକାଇ ଦେଇଥିଲେ । କିନ୍ତୁ ବିଧାନସଭା ଭିତରେ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା ।

ଗେଟରେ ତାଲା, ବାହାରେ ଧାରଣା । ଗୋ-ବ୍ୟାକ୍ ନାରା ଦେଇ ବାଟ ଉଗାଳିଲା କଂଗ୍ରେସ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହ ଭିତରକୁ ପୂରାଇ ନଦେବା ପାଇଁ ପୂରା ଦମ୍ ଲଗାଇ ଦେଇଥିଲା କଂଗ୍ରେସ । ବିଧାନସଭା ପ୍ରବେଶ ପଥର ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲେ କଂଗ୍ରେସ ବିଧାୟକ । ଅନ୍ୟ ଫାଟକ ସମ୍ମୁଖରେ ବ୍ୟାନର ଧରି ଧାରଣା ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲା ଦଳ । ସେମାନଙ୍କ ଯୁକ୍ତି ଥିଲା, ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଏହା ଅପବିତ୍ର ହୋଇଯିବ । ପରବର୍ତ୍ତୀ ସମୟରେ ମୁଖ୍ୟ ପ୍ରବେଶ ପଥରେ ଲାଗିଥିବା ତାଲାକୁ ଭାଙ୍ଗିବାକୁ ପଡିଥିଲା ।

ବିଧାନସଭା ଗେଟ୍ ଆଗରେ ଡ୍ରାମା । ଗୃହ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କର । ବିଧାନସଭା ବାହାରେ କଂଗ୍ରେସ ବିଧାୟକ ଜଗି ବସିଥିଲେ, ହେଲେ ଗୃହ ଭିତରେ ଉଭା ହୋଇଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କିପରି ମନ୍ତ୍ରୀ ବିଧାନସଭା ଭିତରକୁ ଆସିଥିଲେ, ତାର ଟେର ପାଇନଥିଲେ ବିରୋଧୀ ।

ଏପଟେ ଦିବ୍ୟଶଙ୍କରଙ୍କୁ ଗୃହରେ ପୂରାଇ ନଦେବାକୁ ଦାବି କରି ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଯଦି ବାଚସ୍ପତି ପଦକ୍ଷେପ ନ ନିଅନ୍ତି, ତେବେ ପ୍ରତିବାଦ ଜାରି ରହିବ ବୋଲି ଚେତାଇ ଦେଇଛି ଦଳ । ଅନ୍ୟପଟେ ବିଜେଡି କହିଛି, ନାଟକବାଜି କରୁଛନ୍ତି ବିରୋଧୀ । ତେବେ ପ୍ରଥମ ଦିନରୁ ଗୃହ ଭିତରେ ମମିତା ମାମଲା ତାତି ବାରି ହୋଇପଡୁଥିଲା । ଆଗାମୀ ଦିନରେ ବି ଏହି ସ୍ଥିତି ଜାରି ରହିବା ସମ୍ଭାବନା ରହିଛି ।