ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାର ବିରୋଧ । ଜଳେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ! ସମାନ୍ତରାଳ ସମାବେଶ ବଢାଇଲା ଅଡୁଆ

184

କନକ ବ୍ୟୁରୋ: ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ନିଜ ନିର୍ବାଚନମଣ୍ଡଳୀ ଜଳେଶ୍ୱରରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ବ୍ଲକ ଓ ପଞ୍ଚାୟତର କର୍ମୀ ଏକାଠି ହୋଇ ମନ୍ତ୍ରୀଙ୍କ ବିରୋଧରେ ମେଳି କରିଛନ୍ତି । ଆସନ୍ତା ନିର୍ବାଚନରେ ପରିବର୍ତ୍ତର୍ନର ନାରା ଦେଇଛନ୍ତି ଅସନ୍ତୁଷ୍ଟ କର୍ମୀ । ତେବେ ଜବାବରେ ମନ୍ତ୍ରୀ କହିଛନ୍ତି, ସେ ତାଙ୍କ କାମ କରୁଛନ୍ତି । ନିର୍ବାଚନ ଆସିଲେ ଏଭଳି ସ୍ୱର ଉଠେ ।

  • ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଜୋରଦାର ବିରୋଧ
  • ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ଦୁଇଫାଳ!

ନିର୍ବାଚନ ପାଖେଇ ଆସୁଛି ଆଉ ନିଜ ନିର୍ବାଚନମଣ୍ଡଳୀ ଜଳେଶ୍ୱରରେ ଅଶ୍ୱିନୀ ପାତ୍ର ଜୋରଦାର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଦଳ ଭିତରେ ମନ୍ତ୍ରୀଙ୍କ ବିରୋଧରେ ସମାନ୍ତରାଳ ଗୋଷ୍ଠୀ ମୁଣ୍ଡ ଟେକି ମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ପ୍ରାୟ ୩୫ ପଞ୍ଚାୟତ ଓ ୭ ବ୍ଲକର ଶତାଧିକ କର୍ମୀ ଗୋବରାଘାଟ ପଞ୍ଚାୟତରେ ସମାବେଶ କରି ଅଶ୍ୱିନୀ ପାତ୍ରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଆଉ ମନ୍ତ୍ରୀ ବିରୋଧୀ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ସମିତିସଭ୍ୟ ବ୍ରଜମୋହନ ପ୍ରଧାନ । ସମାବେଶରେ ନେତୃତ୍ୱ ପରିବର୍ତନ ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି କର୍ମୀ ଓ ନେତା ।

ବାଲେଶ୍ୱର ଜିଲ୍ଲା ବିଜେଡିରେ ଜଣେ ଟାଣୁଆ ନେତା ହେଉଛନ୍ତି ଅଶ୍ୱିନୀ ପାତ୍ର । ସେ ଜିଲ୍ଲାର ବିଜେଡି ସଭାପତି ବି ଅଛନ୍ତି । ଆଉ ନିଜ ଦଳ ନେତା ଓ କର୍ମୀଙ୍କ ବିଦ୍ରୋହ ସ୍ପଷ୍ଟ କରିଛି ଜଳେଶ୍ୱର ବିଜେଡିରେ ସବୁକିଛି ଠିକ୍ ଚାଲିନାହିଁ । ଆଉ ବାରମ୍ବାର ବିରୋଧ ସତ୍ୱେ କାର୍ଯ୍ୟାନୁଷ୍ଠାନ ନ ହେବା ଅଶ୍ୱିନୀ ବିରୋଧୀଙ୍କୁ ଉତ୍ସାହିତ କରିଛି ।

  • ସମାନ୍ତରାଳ ସମାବେଶ ବଢାଇଲା ଅଡୁଆ
  • ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ବାଲିମାଫିଆଙ୍କୁ ମନ୍ତ୍ରୀଙ୍କ ଅନୁକମ୍ପା?

ଅଶ୍ୱିନୀ ପାତ୍ରଙ୍କ ବିରୋଧୀ ଗୋଷ୍ଠୀଙ୍କ ଅଭିଯୋଗ ହେଲା, ଅଶ୍ୱିନୀ ପାତ୍ର ମନ୍ତ୍ରୀ ଥିବା ସତ୍ୱେ ଜଳେଶ୍ୱରରେ ଆଖିଦୃଶିଆ ବିକାଶ ହେଉନାହିଁ । ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଠିକାଦାରୀ ଦିଆଯିବା ସହ ବାଲିମାଫିଆଙ୍କୁ ଅନୁକମ୍ପା ଦେଖାଯାଉଛି । ସେପଟେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଜଳେଶ୍ୱରରେ ସେ ତାଙ୍କ କାମ କରୁଛନ୍ତି । ନିର୍ବାଚନ ଆସିଲେ ଏମିତି କିଛି ଲୋକ ସ୍ୱର ଉଠାନ୍ତି ଓ ପୁଣି ଚୁପଚାପ ହୋଇଯାଆନ୍ତି । ଏଥିପାଇଁ ବ୍ୟଗ୍ର ନୁହେଁ ଓ ମୋ କାମ ମୁଁ କରୁଛି । ଏଥର ଆହୁରି ଅଧିକ ଭୋଟରେ ଜିତିବି ।

୨୦୨୨ ପଞ୍ଚାୟତ ନିର୍ବାଚନରେ ଅଶ୍ୱିନୀ ପାତ୍ର ଓ ବ୍ରଜମୋହନ ପ୍ରଧାନ ମୁହାଁମୁହିଁ ହୋଇଥିଲେ । କିନ୍ତୁ ମନ୍ତ୍ରୀଙ୍କ ଗୋଟିଚାଳନାରେ ବ୍ରଜମୋହନ ଫେଲ ମାରିଥିଲେ । ଆଉ ସେବେଠାରୁ ବ୍ରଜମୋହନ ଅସନ୍ତୁଷ୍ଟ ଅଛନ୍ତି ଓ ଖୋଲାଖୋଲି ବିରୋଧ କରୁଛନ୍ତି । ଆଉ ଏହା ବିଜେଡି ପାଇଁ ମୁଣ୍ଡବ୍ୟଥା ହୋଇଛି ।