ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ସମ୍ବଲପୁର ଜିଏମ୍ କଲେଜରେ ବିରୋଧ ।ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଲା ଏବିଭିପି ।

164

କନକ ବ୍ୟୁରୋ : ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସର ନିବେଦିତା ମେନନଙ୍କୁ ବିରୋଧ । ମହିଳା ଦିବସ ପାଇଁ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସିଥିବାବେଳେ ପ୍ରଫେସର ନିବେଦିତାଙ୍କୁ କିଛି ଛାତ୍ରଛାତ୍ରୀ ବିରୋଧ କରିଥିବା ଦେଖିବାକୁ ମିଳିଛି । ପ୍ରଫେସର ମେନନ୍ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ନାରା ଦେବା ସହ ପ୍ରବଳ ବିରୋଧ କରିଥିଲେ । ଫଳରେ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ସେହି ସ୍ଥାନରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ ନିବେଦିତା ମେନନ୍ ।

ଏହାସତ୍ତେ୍ୱ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଥମିନଥିଲା । କୁଳପତିଙ୍କ ଅଫିସ ବାହାରେ ମଧ୍ୟ ନାରାବାଜି କରିବା ସହ ତାଙ୍କ କକ୍ଷକୁ ଧସେଇ ପସିଥିଲେ । ଯେଉଁଠି କୁଳପତି ଓ ଅଧ୍ୟାପକଙ୍କ ସହ ଯୁକ୍ତି ତର୍କ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଜେଏନୟୁ ପ୍ରଫେସର ନିବେଦିତା ମେନନ୍ କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଦେଶ ବିରୋଧୀ ବୟାନ ଦେଇଥିଲେ । ଏଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କୁ କାହିଁକି ଜିଏମ୍ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଗଲା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଛାତ୍ରଛାତ୍ରୀ । ଅନେକ ସମୟ ଯୁକ୍ତି ତର୍କ ଓ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।