କନକ ବ୍ୟୁରୋ: ପାହାଡ ଫଟାକୁ ନେଇ ତାତିଲେ ସ୍ଥାନୀୟ ଜନତା । ଲିଜଧାରୀ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଦେଲେ ରଣହୁଙ୍କାର । ଲିଜଧାରୀଙ୍କ ସହ ସଲାସୁତରା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆମରଣ ଅନଶନରେ ବସିଲେ ଲୋକେ । ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲରେ କଳାପଥର କେଳେଙ୍କାରୀ ଦିନକୁ ଦିନ ବଢୁଥିବା ବେଳେ ଲିଜଧାରୀଙ୍କ ଦୌରାତ୍ମ୍ୟ ସହି ହେଉନି । ତେଣୁ ୱାଗନ ଡ୍ରିଲ ବ୍ଲାଷ୍ଟିଂ ବନ୍ଦ ସହ ଲିଜଧାରୀଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଦାବି କରି ଆମରଣ ଅନଶନରେ ବସିଛନ୍ତି ଲୋକେ । ରାହାଡପୁର, ଡଙ୍କାରୀ, ବିଛାଖଣ୍ଡି, ଲୁଣୀବର କଳାପଥର ଖାଦାନକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଧର୍ମଶାଳା ତହସିଲ ଅଧିନରେ ରହିଛି ଏ ସବୁ ପାହାଡ । ଲିଜଧାରୀଙ୍କ ଆସୁରିକ ମନୋଭାବ ଯୋଗୁଁ ନଷ୍ଟ ହେଉଛି ବିରାଟ ବିରାଟ ପାହାଡ । ଆବଶ୍ୟକତା ଠାରୁ ଅଧିକ ଅଂଚଳରୁ ପଥର ଉତୋଳନ କରୁଛନ୍ତି ।

Advertisment

କଳାପଥର ଖନନ ବେଳେ ମାଇନସ ଉତୋଳନର ସବୁ ନିୟମକୁ ଫୁ କରି ହଜାର ହଜାର ଫୁଟ ଗଭୀର ଗାତ କରୁଛନ୍ତି ଏବଂ ଦୀର୍ଘ ମିଆଦି ସୂତ୍ରରେ ଆଣିଥିବା ଲିଜକୁ ଆଧାର କରି କୋଟ କୋଟି ଟଙ୍କାର ରାଜସ୍ୱ ଲୁଟୁଥିବା ଅଭିଯୋଗ ହୋଇଛି । କଳପାଥର ଖନନ ଯୋଗୁଁ ସ୍ଥାନୀୟ ଅଂଚଳରେ ରାସ୍ତା ଖାଲଖାମାରେ ଭର୍ତି ହୋଇଥିବା ବେଳେ ପ୍ରଦୂଷଣ ବଢୁଛି । ଏନେଇ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ତେଣୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ପାହାଡ ପାଖରେ ଆମରଣ ଅନଶନରେ ବସିଛନ୍ତି ।