କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ସମେତ ଅନ୍ୟ ୪ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ କଂଗ୍ରେସର ଶୋଚନୀୟ ପରାଜୟ ଏବେ ଅନେକ ପ୍ରଶ୍ନ ଛିଡା କରିଛି । ଏହି ପରାଜୟକୁ ନେଇ କଂଗ୍ରେସ ପକ୍ଷରୁ ମାନସମନ୍ଥନ କରାଯାଇଥିବା ବେଳେ ଆଗାମୀ ଭବିଷ୍ୟତ କଣ ହେବ ସେବାବଦରେ ଆଲୋଚନା ସରିଛି । ଆଉ ଏସବୁ ଭିତରେ ସୋନିଆ ଗାନ୍ଧୀଙ୍କର ବଡ ବୟାନ ଏବେ ସାମ୍ନାକୁ ଆସିଛି । କଂଗ୍ରେସର ସିଡବ୍ଲୁସି ବୈଠକରେ ସୋନିଆ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ସମର୍ଥନ କରିବା ମୋର ସବୁଠୁ ବଡ ଭୁଲ ଥିଲା ।

Advertisment

ନିର୍ବାଚନ ପୂର୍ବରୁ ହିଁ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଦଳର ହାତ ଛାଡିଥିଲେ । ଏପରିକି ପରେ ନିଜର ଏକ ପାର୍ଟି ଗଢିଥିଲେ ମଧ୍ୟ ନିର୍ବାଚନରେ ସଫଳ ହୋଇନଥିଲେ । ତେବେ ଏହାର ପରିଣାମ କଂଗ୍ରେସ ଦଳକୁ ମଧ୍ୟ ଭୋଗିବାକୁ ପଡିଥିଲା । ଏହି ପ୍ରସଙ୍ଗ ମଧ୍ୟ କଂଗ୍ରେସର ସିଡବ୍ଲୁସି ବୈଠକରେ ଉଠିଥିଲା । ଯଦି କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବାର ଥିଲା ତେବେ ପ୍ରଥମରୁ ହିଁ ଏହା କରିବାର ଥିଲା । ଯାହାକୁ ନେଇ ସୋନିଆ କହିଥିଲେ, କ୍ୟାପଟେନ ଅମରିନ୍ଦରଙ୍କୁ ସମର୍ଥନ କରିବା ମୋର ସବୁଠୁ ବଡ ଭୁଲ ଥିଲା ।

ଅନ୍ୟପଟେ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଗାନ୍ଧୀ ପରିବାରକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । କ୍ୟାପଟେନ କହିଛନ୍ତି, ୫ ରାଜ୍ୟରେ କଂଗ୍ରେସ ଯେଉଁଭଳି ପରାଜିତ ହେଲା ସେଥିପାଇଁ ଗାନ୍ଧୀ ପରିବାର ସମ୍ପୂର୍ଣ୍ଣ ରୂପେ ଦାୟୀ । ଅସ୍ଥାୟୀ ସିଦ୍ଧୁ ଓ ଭ୍ରଷ୍ଟ ଚନ୍ନିଙ୍କୁ ନେଇ କଂଗ୍ରେସ ନିଜର କବର ନିଜେ ଖୋଳିଥିଲା । ଏହାଛଡା ଗାନ୍ଧୀ ପରିବାରର ନେତୃତ୍ୱ ଉପରୁ ଲୋକଙ୍କର ଭରସା ଉଠିଗଲାଣି ।

ଏହାପୂର୍ବରୁ କଂଗ୍ରେସର ସିଡବ୍ଲୁସି ବୈଠକରେ ସୋନିଆ କହିଥିଲେ, କିଛି ଲୋକଙ୍କୁ ଲାଗୁଛି ଗାନ୍ଧୀ ପରିବାର ପାଇଁ ଦଳ ଦୁର୍ବଳ ହେଉଛି । ଯଦି ସମସ୍ତଙ୍କୁ ଏମିତି ଲାଗୁଛି ତେବେ ଯେକୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ବୋଲି କହିଥିଲେ ସୋନିଆ । କାରଣ କଂଗ୍ରେସ ଶକ୍ତିଶାଳୀ ଦଳ ଭାବେ ଉଭା ହେଉ ଏହା ମୋର ଇଚ୍ଛା । ତେବେ ସୋନିଆଙ୍କ ଏଭଳି ପ୍ରସ୍ତାବ ବୈଠକରେ କେହି ଗ୍ରହଣ କରିନଥିବା ବେଳେ ଦଳର ନେତୃତ୍ୱ ଭାର ଏବେ ସୋନିଆଙ୍କ ପାଖେ ଥାଉ ବୋଲି ଅନେକ ବରିଷ୍ଠ ନେତା ନିଜର ମତ ରଖିଥିଲେ ।