ମାସ୍କକୁ ନେଇ ସତର୍କ କରାଇଲେ ଡାକ୍ତର: ସଂକ୍ରମଣକୁ ରୋକିବାରେ ନୁହେଁ ବରଂ ବ୍ୟାପିବାରେ ସହାୟକ କରିଥାଏ ଏଭଳି ଧରଣର ଫେସ୍ ମାସ୍କ; ବାହାରକୁ ବାହାରିବା ମାତ୍ରେ ଗୋଟିଏ ନୁହେଁ ପାଖରେ ରଖନ୍ତୁ ଏକାଧିକ ମାସ୍କ

1,914

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ମାସ୍କ ! କରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆପଣ ବ୍ୟବହାର କରୁଥିବା ଫେସ୍ ମାସ୍କ ହିଁ ଆପଣଙ୍କୁ ପକାଇପାରେ ବିପଦରେ । ଏକଥା ଆମେ କହୁନାହୁଁ ବରଂ ଏଭଳି ଏକ ବଡ ବୟାନ ଦେଇଛନ୍ତି ବିଶ୍ୱର ବଡ ବଡ ଡାକ୍ତର ତଥା ବିଶେଷଜ୍ଞମାନେ । ତେବେ ବିଶ୍ୱରେ ଆତଙ୍କ ରଚିଥିବା କୋଭିଡ୧୯ ଭୁତାଣୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବାହାରକୁ ଗଲେ ସର୍ବଦା ମୁହଁରେ ମାସ୍କ, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଡାକ୍ତର ତଥା ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ହେଲେ ଫେସ୍ ମାସ୍କ ବ୍ୟବହାର କରିବାର ପ୍ରକୃତ ତରିକା କଣ, କେଉଁ ପ୍ରକାର ଫେସ୍ ମାସ୍କ ସ୍ୱାସ୍ଥ୍ୟ ପାଇଁ ସାଜିପାରେ କ୍ଷତିକାରକ ଏସଂକ୍ରାନ୍ତରେ ମଧ୍ୟ ଲୋକଙ୍କୁ ଜ୍ଞାନ ରହିବା ନିହାତି ଜରୁରୀ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଫେସ୍ ମାସ୍କକୁ ନେଇ କିଛି ନିର୍ଦ୍ଦିଷ୍ଟ ଦିଗ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣ ଫଳାଏ ଓଦା ମାସ୍କ !

ପ୍ରବଳ ଗରମ ତଥା ଗୁଳୁଗୁଳି ପୂର୍ଣ୍ଣ ପରିବେଶରେ ମାସ୍କ ପିନ୍ଧିବା ଦ୍ୱାରା ସାଧାରଣତଃ ମୁହଁରେ ଝାଳ ବାହାରିଥାଏ । ତେବେ ଏସଂକ୍ରାନ୍ତରେ ବିଶେଷଜ୍ଞଙ୍କ ମତ ଅନୁସାରେ, ଓଦା ମାସ୍କ କରୋନା ଭାଇରସ ସଂକ୍ରମଣ ପାଇଁ ଆଦୌ ପ୍ରଭାବଶାଳି ନୁହେଁ ବରଂ ଏଭଳି ମାସ୍କ ବ୍ୟବହାର କରିବା ଦ୍ୱାରା ସଂକ୍ରମଣର ଭୟ ଅଧିକ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କପଡା ପ୍ରସ୍ତୁତ ମାସ୍କ କରୋନା ଭାଇରସ ଦାଉରୁ ଆପଣଙ୍କୁ ସେତେବେଳେ ସୁରକ୍ଷା ଦେଇଥାଏ ଯେତେବେଳେ ତାହା ଶୁଖିଲା ଥିବ । ଓଦା ମାସ୍କ କୋଭିଡ-୧୯ ଭୁତାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇନଥାଏ । ଏଭଳି ପରିସ୍ଥିତିରେ ଯଦି ଗୁଳୁଗୁଳି ତଥା ଝାଳ ବୋହିବା କାରଣରୁ ଆପଣ ପିନ୍ଧିଥିବା ମାସ୍କ ଓଦା ହୋଇଯାଏ ତେବେ ସଂକ୍ରମଣ ବ୍ୟାପିବାର ଭୟ ବୃଦ୍ଧି ପାଇଥାଏ । କାରଣ ଓଦା କପଡାରୁ ଭାଇରସ ତଥା ଭୁତାଣୁ ଶରୀର ମଧ୍ୟରେ ଅତି ସହଜରେ ପ୍ରବେଶ କରିଥାଏ ।

ଗୋଟିଏ ନୁହେଁ ପକେଟରେ ରଖନ୍ତୁ ୨ଟି ମାସ୍କ

ବିଶେଷଜ୍ଞଙ୍କ ମତରେ, ମାସ୍କ ପିନ୍ଧିବା ଦ୍ୱାରା ମୁହଁରୁ ଅଧିକ ଝାଳ ବାହାରିଥାଏ । କିନ୍ତୁ କରୋନା କାଳରେ ଆପଣ ପିନ୍ଧୁଥିବା ଫେସ ମାସ୍କ ଓଦା ହେବା ଦ୍ୱାରା ସଂକ୍ରମଣର ଭୟ ବେଶି ରହିଥାଏ । ଏଭଳି ସ୍ଥିତିରେ ଲୋକଙ୍କୁ ପରାମର୍ଶ ଯେ, କୌଣସି ବି ସ୍ଥାନକୁ ଯିବା ସମୟରେ ଅତି କମରେ ପାଖରେ ୨ଟି ମାସ୍କ ରଖନ୍ତୁ । ଯଦି କୌଣସି କାରଣବଶତଃ ଗୋଟିଏ ମାସ୍କ ଓଦା ହୋଇଯାଏ ତେବେ ତୁରନ୍ତ ତାକୁ ବଦଳାଇ ଆପଣ ଶୁଖିଲା ମାସ୍କଟିକୁ ପିନ୍ଧିପାରିବେ । ଏହାଦ୍ୱାରା ଭୁତାଣୁ ବ୍ୟାପିବାର ଭୟ ମଧ୍ୟ କମ ରହିଥାଏ ।

ଏହାଛଡା ଗରମ ତଥା ଗୁଳୁଗୁଳି ସମୟରେ କର୍ଟନ ମାସ୍କ ବଦଳରେ ହାଲୁକା ସର୍ଜିକାଲ ମାସ୍କ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ବେଶି ଫାଇଦା । ସର୍ଜିକାଲ ମାସ୍କ ବ୍ୟବହାର କରିବା ଦ୍ୱାରା ଏଥିରେ ଶ୍ୱାସକ୍ରିୟାରେ କୌଣସି ଅସୁବିଧା ସୃଷ୍ଟି ହୋଇନଥିବା ବେଳେ ଏଥିରେ ବାୟୁ ଚଳପ୍ରଚଳ ହେବା ଦ୍ୱାରା ଝାଳ ବୋହିବା ମଧ୍ୟ କମ ହୋଇଥାଏ ।