ଓଡ଼ିଶାର ଆକାଶଛୁଆଁ ସ୍ୱପ୍ନ । ଖୁବଶୀଘ୍ର ଉଡ଼ିବ ୧୨ଟି ନୂଆ ବିମାନ, ବିଦେଶ ସହ ସିଧାସଳଖ ଯୋଡି ହେବ ଭୁବନେଶ୍ୱର ।

1,083

କନକ ବ୍ୟୁରୋ : ଓଡ଼ିଶାରୁ ଖୁବଶୀଘ୍ର ଉଡ଼ିବ ୧୨ଟି ନୂଆ ବିମାନ । ବାରଣାସୀ, ପ୍ରୟାଗରାଜ ସମେତ ଦେଶର ପ୍ରମୁଖ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେବ । ଏପରିକି ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ଯିବ ବିମାନ । ବ୍ୟାଙ୍ଗକକ୍, ସିଙ୍ଗାପୁର, ଆବୁଧାବିକୁ ବିମାନ ସେବା ଆରମ୍ଭ କରାଯିବ । ଏ ନେଇ ପ୍ରମୁଖ ଏୟାରଲାଇନ୍ସର କାର୍ଯ୍ୟନିର୍ବାହୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ପର୍ଯ୍ୟଟନ, ଶିଳ୍ପ ଓ ଆଇଟିରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।

ଓଡ଼ିଶା ହେବ ଦେଶର ପ୍ରମୁଖ ଗନ୍ତବ୍ୟ ସ୍ଥାନ । ପର୍ଯ୍ୟଟନ, ଶିଳ୍ପ ଓ ଆଇଟିରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର ।

ଓଡ଼ିଶାର ଆକାଶଛୁଆଁ ସ୍ୱପ୍ନ । ଖୁବଶୀଘ୍ର ଉଡ଼ିବ ୧୨ଟି ନୂଆ ବିମାନ । ନଜର ପକାନ୍ତୁ କେଉଁ କେଉଁ ସ୍ଥାନକୁ ଓଡ଼ିଶାରୁ ହେବ ସିଧାସଳଖ ଉଡ଼ାଣ । ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ୨୦ ଜାନୁଆରୀରୁ ଉଡ଼ାଣ ଆରମ୍ଭ କରିଛି ଏୟାର ଇଣ୍ଡିଆ । ସେହିଦିନ ଭୁବନେଶ୍ୱରରୁ ସୁରଟ ଯାଇଛି ଏୟାର ଇଣ୍ଡିଆର ବିମାନ । ତେବେ ଜାନୁଆରୀ ୨୪ ତାରିଖରେ କୋଲକାତାରୁ ଝାରସୁଗୁଡ଼ା ଅଭିମୁଖେ ବିମାନ ଉଡାଇବ ଆଲିଆନ୍ସ ଏୟାର । ଆସନ୍ତା ୩୧ ତାରିଖରେ ଆଲିଆନ୍ସ ଏୟାରର ବିମାନ ଯିବ ଭୁବନେଶ୍ୱରରୁ ବାରଣାସୀ । ମେ’ ମାସରେ ଆଲିଆନ୍ସ ଏୟାର ପକ୍ଷରୁ ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ କରିବ ବିମାନ ସେବା ।

ଫେବ୍ରୁଆରୀ ୨୯ ତାରିଖରେ ଇଣ୍ଡିଗୋର ଏକ ବିମାନ ବାରଣାସୀରୁ ଭୁବନେଶ୍ୱର ଚଳାଚଳ କରିବ । ସେହିପରି ଜୁଲାଇ ୧ ତାରିଖରେ ଇଣ୍ଡିଗୋ ଉଡାଇବ ପ୍ରୟାଗରାଜରୁ ଭୁବନେଶ୍ୱରକୁ ବିମାନ । ଆସନ୍ତା ଶୀତ ଋତୁରେ ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ ମୁମ୍ବାଇକୁ ବିମାନ ଉଡ଼ାଇବାକୁ ଥିବା ବେଳେ ଖରାଦିନେ ଦିଲ୍ଲୀରୁ ଭୁବନେଶ୍ୱରକୁ ବିମାନ ଚଳାଇବ ଏୟାର ଏସିଆ ।

କେବଳ ଘରୋଇ ବିମାନ ଚଳାଚଳ ନୁହେଁ, ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ନେଇ ବଡ଼ ଯୋଜନା ରଖିଛନ୍ତି ସରକାର । ଭୁବନେଶ୍ୱରରୁ ବ୍ୟାଙ୍ଗକକ୍ ଓ ବ୍ୟାଙ୍ଗକକରୁ ଭୁବନେଶ୍ୱରକୁ ସିଧାସଳଖ ଉଡ଼ିବ ବିମାନ । କେବଳ ସେତିକି ନୁହେଁ ସିଙ୍ଗାପୁରରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଆବୁଧାବିକୁ ମଧ୍ୟ ବିମାନ ଚଳାଚଳ ଆରମ୍ଭ କରାଯିବ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ଏୟାର ଲାଇନ୍ସକୁ ଇନ୍ଧନ ଉପରେ ଭାଟ ଛାଡ଼ କରିଛନ୍ତି ରାଜ୍ୟ ସରକାର । ନୂଆ ରୁଟରେ ଘରୋଇ ବିମାନ ଚଳାଚଳ ହେଲେ ଇନ୍ଧନ ଉପରେ ଦେବାକୁ ପଡ଼ିବ ମାତ୍ର ୧ ପ୍ରତିଶତ ଭାଟ୍ ।

ସେହିପରି ଓଡିଶାରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଅନ୍ୟ ଯେଉଁଠି ବିମାନ ଉଡାଣ ହୋଇନି, ସେ ସ୍ଥାନକୁ ବିମାନ ଉଡାଣ ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ, ଡିଜିସିଏ ଓ ୨୧ଟି ଏଆର ଲାଇନ୍ସର ଅଧିକାରୀ ସାମିଲ ହୋଇଥିଲେ ।