ବନ୍ଦ ହୋଇପାରେ ରାଜ୍ୟରେ ୧୮ଟି ଜେଲ୍ । ଗୃହ ବିଭାଗକୁ ଚିଠି ଲେଖିଲେ ତତ୍କାଳୀନ କାରାଗାର ନିର୍ଦ୍ଦେଶକ

ରାଜ୍ୟର ୧୮ଟି ଜେଲ୍ ବନ୍ଦ କରିବାକୁ ତତ୍କାଳୀନ କାରାଗାର ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଚିଠି ଲେଖି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

446

କନକ ବ୍ୟୁରୋ: ରାଜ୍ୟର ୧୮ଟି ଜେଲ୍ ବନ୍ଦ କରିବାକୁ ତତ୍କାଳୀନ କାରାଗାର ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି ଚିଠି ଲେଖି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ବିଚାରବିମର୍ଶ ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। କାହିଁକି ବନ୍ଦ ହେବା ଆବଶ୍ୟକ, ଏଥିରେ କ’ଣ ଲାଭ ହେବ, ସେ ନେଇ ମଧ୍ୟ ଉପଯୁକ୍ତ କାରଣ ଦର୍ଶାଇଛନ୍ତି। ବନ୍ଦ ହେବାକୁ ଥିବା ଜେଲର ଅନ୍ତେବାସୀମାନଙ୍କୁ ପାଖ ଜେଲକୁ ସ୍ଥାନାନ୍ତର କରାଯିବ ଏବଂଏହି ଜେଲ୍ କୋଠାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି ଉକ୍ତ ପତ୍ରରେ ପ୍ରସ୍ତାବ ଦିଆଯାଇଛି। ଏହି ତାଲିକାରେ କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, ଢେଙ୍କାନାଳର ହିନ୍ଦୋଳ, ଅନୁଗୁଳର ପାଳଲହଡ଼ା, ସମ୍ବଲପୁରର ରାଇରଖୋଲ, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ବାଲେଶ୍ବରର ନୀଳଗିରି, ନୟାଗଡ଼ର ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁର, ଖୋର୍ଦ୍ଧାର ବାଣପୁର, ଗଜପତିର ଆର. ଉଦୟଗିରି, କନ୍ଧମାଳର ଜି. ଉଦୟଗିରି, ଗଞ୍ଜାମର ଦିଗପହଣ୍ଡି, ରାୟଗଡ଼ାର ବିଷମ କଟକ, କୋରାପୁଟର କୋଟପାଡ଼, କଳାହାଣ୍ଡିର ଖରିଆର ଓ ମଦନପୁର-ରାମପୁର ରହିଛି।

ସବୁଠାରୁ କମ୍ ବନ୍ଦୀ ଥିବା ତାଲିକାରେ ନରସିଂହପୁର ଜେଲ୍ ରହିଛି। ଏହାର କ୍ଷମତା ୨୦୬ ଥିବା ବେଳେ ଏଥିରେ ୨୦ଜଣ ରହୁଛନ୍ତି। ଏଭଳି ଅନ୍ୟ ଜେଲର ସ୍ଥିତି ରହିଛି। ଏଣୁ ଉପରୋକ୍ତ ୧୮ଜେଲକୁ ବନ୍ଦ କରିବା ପାଇଁ ଯୋଜନା ହୋଇଛି। ଏନସିଆରବି ରିପୋର୍ଟ ମୁତାବକ, ରାଜ୍ୟରେ ଥିବା ୯୦ ଜେଲର କ୍ଷମତା ୧୮ହଜାର ୧୨ ରହିଛି। ୨୦୧୭ ମସିହାରେ ଏଥିରେ ୧୫ହଜାର ୨୨୩ ଅନ୍ତେବାସୀ ରହୁଥିଲେ। ତେବେ ଏହି ପ୍ରସ୍ତାବ ନୂଆ ନୁହେଁ। ଗତବର୍ଷ ମଧ୍ୟ ଏଭଳି ପ୍ରସ୍ତାବ ଦିଆଯାଇଥିଲା। ଯାହା ଗୃହ ବିଭାଗରେ ପଡ଼ି ରହିଛି।