କୃଷି କାନୁନ୍ ବିରୋଧରେ କେରଳ ବିଧାସଭାର ସ୍ୱତନ୍ତ୍ର ଅଧିବେଶନ । ମୁଖ୍ୟମନ୍ତ୍ରୀ କହିଲେ ଏହି ବିଲ୍ ଲାଗୁ ହେଲେ ପୁଞ୍ଜିପତିଙ୍କ ଗୋଲାମ ହୋଇଯିବେ ଦେଶର ଅନ୍ନଦାତା

131

କନକ ବ୍ୟୁରୋ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଓ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ଆଜି (ଗୁରୁବାର) ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ଏହି ଅଧିବେଶନରେ ଅଧ୍ୟକ୍ଷତା କରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଗତ କରିଛନ୍ତି । ଏହି ପ୍ରସ୍ତାବକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ କିଛି ଦଳର ବିଧାୟକ ମାନେ ବି ସମର୍ଥନ କରିଛନ୍ତି ।

ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହେବା ପରେ ମୁଖ୍ୟମନ୍ତରୀ କରିଛନ୍ତି କି ସରକାର କୃଷକ ମାନଙ୍କର ବାସ୍ତବିକ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ନୂଆ ଆଇନ ମାଧ୍ୟମରେ ସେମାନଙ୍କୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି । ଯାହାକି କୃଷି ଓ କୃଷକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ । ତେଣୁ ସରକାର ତୁରନ୍ତ ଏଭଳି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ୍ ବୋଲି ସେ କହିଛନ୍ତି । ଏହି ଆଇନ ବଳରେ କେବଳ କର୍ପୋରେଟ୍ ହାଉସ ମାନେ ଲାଭାନ୍ୱିତ ହେବେ ଓ ଧିରେ ଧିରେ ଦେଶର ଅନ୍ନଦାତା ସେମାନଙ୍କ ପାଖରେ ଗୋଲାମ ହୋଇଯିବେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି ।

ସେ ଆହୁରି କହିଛନ୍ତି କି ଯଦି କୃଷକ ମାନଙ୍କର ଆନ୍ଦୋଳନ ଜାରି ରହେ ତେବେ ଦେଶରେ ସବୁଠାରୁ କେରଳ ରାଜ୍ୟ ବେଶି ପ୍ରଭାବିତ ହେବ । ଯଦି ଅନ୍ୟ ରାଜ୍ୟର କୃଷକ ମାନେ ଖାଦ୍ୟ ପଦାର୍ଥ ଯୋଗାଣ ବନ୍ଦ କରିଦେବେ ତେବେ କେରଳରେ ଅନାହାର ପରିସ୍ଥିତି ସୃଷ୍ଟି ହେବ ।

ଅନ୍ୟପଟେ ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି କି ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ସମୟରେ ଦେଶରେ ଅନ୍ନଦାତାଙ୍କ ସପକ୍ଷରେ ରାଜ୍ୟ ସରକାରମାନେ ଛିଡା ହେବା ଦରକାର । ଏହି ଆଇନରେ କେବଳ କର୍ପୋରେଟ୍ ହାଉସ ମାନଙ୍କର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସେପଟେ ସ୍ୱତନ୍ତ୍ର ଅଧିବେଶନ ଡକାଇବା ଲାଗି ଅନୁମତି ଦେବାରେ ରାଜ୍ୟପାଳ ବିଳମ୍ବ କରିଥିବାରୁ କେରଳ ବିଧାନସଭାର ବିରୋଧିଦଳ ଉପ-ନେତା କେ.ସି ଜୋସେଫ୍ ରାଜ୍ୟପାଳ ଆରିଫ୍ ମହମ୍ମଦଙ୍କୁ ସମାଲୋଚନା କରିଛନ୍ତି ।