କନକ ବ୍ୟୁରୋ : ସ୍ୱାମୀ ପେଟପାଟଣା ପାଇଁ ଦାଦନ ଖଟିବାକୁ ଗାଁରେ ପରିବାର ଛାଡି ରାଜ୍ୟ ବାହାରକୁ ଯାଇଛନ୍ତି । ଏପଟେ ମୁଣ୍ଡ ଗୁଂଜିବା ପାଇଁ ଆଶ୍ରୟ ଖୋଜୁଛନ୍ତି ସ୍ତ୍ରୀ । ବର୍ଷାରେ ଝାଟି ମାଟିର କୁଡିଆଟି ଭାଙ୍ଗି ଯିବା ପରେ ଦୁଇ ପିଲାଙ୍କୁ ଧରି ପର ଘରେ ଆଶ୍ରୟ ନେଇଛନ୍ତି କୋକସରା ବ୍ଲକ ମହିମା ପଂଚାୟତ ଭୁର୍ଷାଗୁଡା ଗାଁର ସବିତା ଧାଙ୍ଗଡା ମାଝୀ । ସ୍ୱାମୀ ଦାଦନ ଖଟି ଦୁଇ ପଇସା ପଠାଇଲେ ଖାଉଥିବା ଏହି ପରିବାର ପାଖରେ ଘର ମରାମତି କରିବାର ସାମର୍ଥ୍ୟ ବି ନାହିଁ । କି ସରକାରଙ୍କ ପକ୍ଷରୁ ଆବାସ ଖଣ୍ଡେ ଜୁଟୁ ନାହିଁ ।

Advertisment

ରାଜନୈତିକ ଉଦେଶ୍ୟ, ପାତରଅନ୍ତର ନୀତି ଓ ଲାଂଚ ପାଇଁ କୋକସରା ବ୍ଲକରେ ଯୋଗ୍ୟ ବ୍ୟକ୍ତି ଅଯୋଗ୍ୟ ପାଲଟିଯାଉଛନ୍ତି । ତେଣୁ ସବିତାଙ୍କ ଭଳି ଗରିବ ପରିବାର ବର୍ଷ ବର୍ଷ ଧରି ଭଙ୍ଗା କୁଡିଆରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ରହିବାକୁ ବାସ ନାହିଁ, ତଥାପି ସରକାରୀ ଆବାସ ପାଇଁ ର ସ୍ଥିତି ଅନୁଧ୍ୟାନ କରୁଥିବା ପଂଚାୟତ ଅଧିକାରୀଙ୍କ ନଜର ସବିତାଙ୍କ ଉପରେ ପଡୁନଥିବା ଅଭିଯୋଗ ହୋଇଛି ।

କୋକସରାର ସବିତାଙ୍କ ଅବସ୍ଥା ଦେଖିବା ପରେ ସରକାରୀ ଯୋଜାନକୁ ନେଇ ପ୍ରଶ୍ନ ଉଠିଛି । ଯଦି ସବିତା ଘର ପାଇବା ପାଇଁ ଅଯୋଗ୍ୟ, ତେବେ ଯୋଗ୍ୟ ବ୍ୟକ୍ତି କିଏ? କେଉଁ ମାପଦଣ୍ଡ ଆଧାରରେ ଆବାସ ଯୋଗାଇ ଦିଆଯାଉଛି? ଦୁଃଖିଙ୍କ ଦୁଃଖ ବୁଝିବାକୁ ପ୍ରଶାସନିକ ବ୍ୟବସ୍ଥା ଅଛି ତ?