ମିଛ ପ୍ରମାଣ ପତ୍ର ଦେଇ ପଦୋନ୍ନତି…ଅନୁଭବ ମହାନ୍ତିଙ୍କ ବାପାଙ୍କୁ ମହଙ୍ଗା ପଡିଲା : ଅତିରିକ୍ତ ପେନସନ୍ ପ୍ରତ୍ୟାହାର କଲେ ରାଜ୍ୟ ସରକାର

1,415

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ମିଛ ସାର୍ଟିଫିକେଟ୍ ଦେଇ ପଦୋନ୍ନତି ହାତେଇଥିବାରୁ ମହଙ୍ଗା ପଡିଛି । ପଦୋନ୍ନତି ବାବଦକୁ ପାଉଥିବା ଅତିରିକ୍ତ ପେନସନକୁ ପ୍ରତ୍ୟାହର କରିଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ଏ ସଂପର୍କିତ ଏକ ବିଜ୍ଞପ୍ତି ଜରି କରିଛି । କେନ୍ଦ୍ରାପଡା କଲେଜରେ ଇଂରାଜୀ ଲେକ୍ଚରର ଥିବା ଅଭୟ ମହାନ୍ତିଙ୍କୁ ୨୦୦୮ରେ ରିଡର ଭାବେ ପଦୋନ୍ନତି ଦିଆଯାଇଥିଲା । ହେଲେ ମିଛ ରିଫ୍ରେସର କୋର୍ସ ସାର୍ଟିଫିକେଟ୍ ଦେଇ ସେ ଏହି ପଦୋନ୍ନତି ହାତେଇଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ତଦନ୍ତ କରି ୨୦୦୯ ଅଗଷ୍ଟ ୨୯ରେ ରିପୋର୍ଟ ଦେଇଥିଲେ ଶିକ୍ଷା ବିଭାଗ ଉପନିର୍ଦ୍ଦେଶକ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏକ ନକଲି ସାର୍ଟିଫିକେଟ୍ ଜରିଆରେ ଏହି ପଦୋନ୍ନତି ହାତେଇଥିବା ରିପୋର୍ଟରେ କୁହାଯାଇଥିଲା । ଏହା ବିରୋଧରେ ୨୦୧୦ରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭୟ କୁମାର ମହାନ୍ତି । ହେଲେ କୋର୍ଟ ବିଭାଗୀୟ ତଦନ୍ତ କରି ରିଡର ହିସାବରେ ପେନସନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘଦିନ ପରେ ଏହି ବିବାଦୀୟ ମାମଲାରେ ପୂର୍ଣ୍ଣଛେଦ ଟାଣିଛି ଉଚ୍ଚଶିକ୍ଷା ବିଭାଗ । ଅଭୟ କୁମାରଙ୍କ ପଦୋନ୍ନତିକୁ ବାତିଲ କରିବା ସହ ତାଙ୍କ ଅତିରିକ୍ତ ପେନସନକୁ ଅଟକାଇ ଦେଇଛନ୍ତି ।