ଯୋଗ୍ୟ ସରକାରୀ ବାବୁଙ୍କ ପାଇଁ ବଡ ସୁଯୋଗ । ଆସନ୍ତା ୨୮, ୨୯ ଓ ୩୧ରେ ବସିବ ପଦୋନ୍ନତି ଅଦାଲତ, ଯୋଗ୍ୟ ସରକାରୀ ବାବୁ ପଦୋନ୍ନତି ପାଇଁ କରିପାରିବେ ଆବେଦନ ।

1,066

କନକ ବ୍ୟୁରୋ : ପଦୋନ୍ନତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆଉ ଏକ ସୁଯୋଗ । ଯୋଗ୍ୟ ସରକାରୀ ବାବୁଙ୍କୁ ପଦୋନ୍ନତି ଦେବାକୁ ଜାନୁଆରୀରେ ୩ ଥର ବସିବ ପଦୋନ୍ନତି ଅଦାଲତ । ଆସନ୍ତା ୨୮, ୨୯ ଓ ୩୧ରେ ୬ଟି ସ୍ଥାନରେ ବସିବ ପଦୋନ୍ନତି ଅଦାଲତ । ୩୧ ଡିସେମ୍ବର ୨୦୧୯ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ । ଏଥିପାଇଁ ଜାନୁଆରୀ ୨୩ ସୁଦ୍ଧା ଯୋଗ୍ୟ ସରକାରୀ ଅଧିକାରୀ ଆବେଦନ କରିପାରିବେ । gadmin.or@nic.in  ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ ସରକାରୀ ବାବୁ ।

୬ଟି ସ୍ଥାନରେ ୬ ଜଣ ବରିଷ୍ଠ ଆଇଏଏସ ପଦୋନ୍ନତି ଅଦାଲତରେ ଶୁଣାଣି କରିବେ । ୬ ଜଣ ଆଇଏଏସଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବାଣ୍ଟି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ । ସେହିଭଳି ଗୋପବନ୍ଧୁ ଭବନରେ ଆଇଏଏସ ସୁରେଶ ମହାପାତ୍ର, କୃଷି ଭବନରେ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର, କଳିଙ୍ଗ ଷ୍ଟାଡିୟମରେ ଆଇଏଏସ ଆର.କେ ଶର୍ମା, ଏସଆଇଆରଡି କନଫରେନ୍ସ ହଲରେ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନା ଓ ଇଡକୋ କନଫରେନ୍ସ ହଲରେ ଆଇଏଏସ ଅଫିସର ମୋନା ଶର୍ମା ପଦୋନ୍ନତି ଅଦାଲତରେ ଶୁଣାଣି କରିବେ ।

ଏହାପୂର୍ବରୁ ଚଳିତ ନୂଆବର୍ଷରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ କର୍ମଚାରୀ ହଇରାଣ ହରକତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ନଚେତ ବିଭାଗୀୟ ଅଧିକାରୀଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହି ସମୟ ମଧ୍ୟରେ ଯେଉଁ କର୍ମଚାରୀ ମାନେ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରି ନାହାନ୍ତି ସେମାନଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦୋନ୍ନତି ଅଦାଲତ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାପୂର୍ବରୁ ବିଭିନ୍ନ କାରଣରୁ ପଦୋନ୍ନତି ପାଇପାରିନଥିବା କର୍ମଚାରୀ ମାନେ ଏଥିପାଇଁ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥାନ୍ତି । ଆଉ ଏହି ମାମଲା ଗୁଡିକ ଦୀର୍ଘ ଦିନ ଧରି ଅଦାଲତରେ ଗଡି ଚାଲିଥାଏ । ଯେଉଁଥିପାଇଁ ଯୋଗ୍ୟ କର୍ମଚାରୀ ମାନେ ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେଣୁ ଏହି ଅଦାଲତ ଗଠିତ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି କୁହାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ଏକ ଚିଠି ଜାରି କରି ସ୍ପଷ୍ଟ କରାଯାଇଥିଲା ।