କନକ ବ୍ୟୁରୋ : ଭୋଟ୍ ପାଇଁ ଷ୍ଟାମ୍ପ ପେପରରେ ପ୍ରତିଶ୍ରୁତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଏହି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଭିନ୍ନ ସମସ୍ୟା ରହିଥିବାରୁ କାଶୀପୁର କଂଟାବାଂଜି ଗାଁରେ ଲୋକେ ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଥିଲେ । ଏହି ସମୟରେ ଗ୍ରାମବାସୀଙ୍କ ନିକଟରେ ପହଂଚିଯାଇଥିଲେ ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରିଙ୍କି ନାଏକ । ଗ୍ରାମବାସୀଙ୍କୁ ବହୁ ସମୟ ଧରି ବୁଝାସୁଝା କରିଥିଲେ । ଶେଷରେ ଷ୍ଟାମ୍ପ ପେପର ଆଣି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ପଂଚାୟତ ନିର୍ବାଚନରେ ସ୍ୱାମୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ତ୍ରୀ । ଘର ଘର ବୁଲି ମହିଳାଙ୍କ ପାଦରେ ଅଳତା ଲଗାଇ ତାଙ୍କ ସ୍ୱାମୀଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରୁଛନ୍ତି । ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଣସପୁର ପଂଚାୟତରେ । ଏହି ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ଭାବେ ଲଢୁଥିବା ୨ ପ୍ରାର୍ଥୀଙ୍କ ପ୍ରଚାର ସେମାନଙ୍କ ସ୍ତ୍ରୀ କରୁଥିବା ଦଖିବାକୁ ମିଳିଛି । ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ସ୍ୱାମୀଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରୁଛନ୍ତି ।

ବଣ୍ଡା ଘାଟିରେ ଜମୁଛି ପ୍ରଚାର । ନାଚ ଗୀତ ମାଧ୍ୟମରେ ବଣ୍ଡା ଜନଜାତିଙ୍କୁ ଆକୃଷ୍ଟ କରୁଛନ୍ତି ପ୍ରାର୍ଥୀ ଓ ନେତା । ସ୍ୱତନ୍ତ୍ର ଆଲବମ ପ୍ରସ୍ତୁତ କରି ଗାଁ ଗାଁରେ ଡିଜିଟାଲ ପ୍ରଚାର କରାଯାଉ ଥିବା ବେଳେ କୋରୋନା କଟକଣା କୋହଳ ହବା ପରେ ଏବେ ବଣ୍ଡା ଘାଟିରେ ଲୋକଙ୍କ ସମାଗମ କରି ବଣ୍ଡା ଜନଜାତୀଙ୍କ ସହ ନାଚ ଗୀତରେ ମାତି ଉଠିଛନ୍ତି ନେତା । ବଣ୍ଡା ଘାଟିର ଦୁର୍ଗମ ଅଣ୍ଡ୍ରାହାଲ ପଂଚାୟତର ବିଭିନ୍ନ ଗାଁ ଗାଁରେ ନାଚଗୀତର ଆୟୋଜନ କରି ଭୋଟର ମାନଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି ଖଇରପୁଟ ଜୋନର ବିଜେଡି ପ୍ରାର୍ଥୀ ବଳି ମାଝୀ ଓ ପର୍ଜ୍ୟବେକ୍ଷକ ନୃସିଂହ ମାହାନ୍ତି ।