କନକ ବ୍ୟୁରୋ : ପ୍ରକଳ୍ପ ଗୋଟିଏ, ହେଲେ ଉଦଘାଟନ ହେଲା ଦୁଇ ଦୁଇ ଥର । କେବଳ ରାଜନୈତିକ ପତିଆରା ପାଇଁ କଟକ ଜିଲ୍ଲା ମାହାଙ୍ଗାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୂର୍ତ୍ତ ବିଭାଗ ରାସ୍ତାର ଶିଳାନ୍ୟାସକୁ ନେଇ ମାହାଙ୍ଗାରେ ବଢ଼ିଛି ରାଜନୈତିକ ହଟଚମଟ । ଗତକାଲି ଅପରାହ୍ନରେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ୨୮ କୋଟି ବ୍ୟୟଅଟକଳରେ ନିଶ୍ଚିନ୍ତ କୋଇଲି ବ୍ଲକ ତରତ ଶାସନ ସହଦେବପୁର ପୂର୍ତ୍ତ ବିଭାଗ ରାସ୍ତାର ଶିଳାନ୍ୟାସ କରିଥିଲା ବେଳେ ଏହାକୁ ବିରୋଧ କରିଛି ନିଶ୍ଚିନ୍ତ କୋଇଲି ବ୍ଲକ ବିଜେଡି। ପ୍ରେସମିଟ କରି ବିଜେଡି କହିଛି ଗତ ମାର୍ଚ୍ଚ ମାସ ୧୪ ତାରିଖରେ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ, ଯାହାର ଅଗ୍ରଗତି ଅଦ୍ୟାବଧି ଆରମ୍ଭ ହୋଇସାରିଥିଲେ ହେଁ ମିଛ ବାହାବାହା ନେବା ପାଇଁ ସ୍ୱାଧୀନ ବିଧାୟକ ଫଳକ ମାରି ନିଜର ବହାଦୁରୀ ଦେଖାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ତରତ ଶାସନର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଜିତେନ୍ଦ୍ର ମିଶ୍ର। ଆଗାମୀ ଦିନରେ ବିଧାୟକଙ୍କ ଏଭଳି ଉଦ୍ୟମକୁ ନିଶ୍ଚିନ୍ତକୋଇଲି ବିଜୁଜନତା ଦଳ ପଂଚାୟତସ୍ତରରୁ ଆରମ୍ଭ କରି ବ୍ଲକସ୍ତର ପର୍ୟ୍ୟନ୍ତ ସବୁକ୍ଷେତ୍ରରେ ବିରୋଧ କରିବ ବୋଲି ଶ୍ରୀମିଶ୍ର ସୂଚନା ଦେଇଛନ୍ତି।