ନେତାଙ୍କ ସେତୁ ଶିଳାନ୍ୟାସ କଳି । ଶ୍ରେୟ ନେବା ପାଇଁ ଗୋଟିଏ ପ୍ରକଳ୍ପ ଦୁଇ ଦୁଇ ଥର ଶିଳାନ୍ୟାସ କଲେ ବିଧାୟକ ଏବଂ ସାଂସଦ

32

କନକ ବ୍ୟୁରୋ: ୨୦୧୯ ଯେତିକି ପାଖେଇ ଆସୁଛି ସେତିକି ଜୋରଧରୁଛି ଶ୍ରେୟ ରାଜନୀତି । ଆଉ ଏହି ଶ୍ରେୟ ନେବାର ପ୍ରତିଯୋଗିତା ଭିତରେ ଗୋଟିଏ ପ୍ରକଳ୍ପ ଦୁଇ ଦୁଇଥର ଶିଳାନ୍ୟାସ ହେଉଛି । ବଲାଙ୍ଗୀର ଜିଲ୍ଲାରେ ଯେଉଁ ବିଜୁ ସେତୁକୁ ବିଧାୟକ ଶିଳାନ୍ୟାସ କରିବାର ଥିଲା, ତାକୁ ଗୋଟିଏ ଦିନ ପୂର୍ବରୁ ସାଂସଦ ଶିଳାନ୍ୟାସ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ ଯେଉଁ ରାସ୍ତା ୧୦ ଦିନ ପୂର୍ବରୁ ବିଧାୟକ ଶିଳାନ୍ୟାସ କରିଥିଲେ, ତାକୁ ପୁଣି ଥରେ ଶିଳାନ୍ୟାସ କରିଛନ୍ତି ଆଉ ଜଣେ ବିଧାୟକ ଏବଂ ସାଂସଦ । ପଢନ୍ତୁ ଏହି ରିପୋର୍ଟ ।

ଭୋଟ୍ ରାଜନୀତିରେ ରାଜନୈତିକ ପ୍ରତିନ୍ଦ୍ୱନ୍ଦିତା କେତେ ତୀବ୍ର ହୋଇପାରେ ଇଏ ହେଉଛି ତା’ର ଦୁଇଟି ଚିତ୍ର । ଯେଉଁ ବିଜୁ ସେତୁକୁ ବଲାଙ୍ଗୀର ବିଧାୟକ ଶିଳାନ୍ୟାସ୍ କରିବା କାର୍ଯ୍ୟକ୍ରମ ଥିଲା, ଶିଳାନ୍ୟାସର ଗୋଟିଏ ଦିନ ପୂର୍ବରୁ ଶୁଭ ଦେଇଛନ୍ତି ବଲାଙ୍ଗିର ସାଂସଦ । ଶ୍ରେୟ ନେବାର ପ୍ରତିଯୋଗିତା ଭିତରେ ଶାସକ ଓ ବିରୋଧୀ କେମିତି ଛକାପଞ୍ଝାର ସାମ୍ନା ହୋଇପାରନ୍ତି, ବଲାଙ୍ଗୀର ଏହି ଶିଳାନ୍ୟାସ ରାଜନୀତିରୁ ସ୍ପଷ୍ଟ ବାରି ହୋଇପଡୁଛି ।ବିଜୁ ସେତୁ ଯୋଜନାରେ ସୁକତେଲ ନଦୀ ଉପରେ କୁଟୁମଡୋଲାରୁ କୁଶମେଲ ମଧ୍ୟରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଯେଉଁଥି ପାଇଁ ୯କୋଟି ୧ଲକ୍ଷ ୭୫ ହଜାର ଟଙ୍କାର ଟେଣ୍ଡର ବି ସରିଛି । ହେଲେ ଏହି ପୋଲ ନିର୍ମାଣର ଶ୍ରେୟ ନେବା ପାଇଁ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଏବଂ ସାଂସଦ ।ଯେଉଁ ସେତୁର ଶିଳାନ୍ୟାସ ବୁଧବାର ସାଂସଦ କଳିକେଶ କରିଥିଲେ, ଗୁରୁବାର ଦଳବଳ ନେଇ ପହଂଚିଯାଇଥିଲେ ବିଧାୟକ ନରସିଂହ ମିଶ୍ର । ଆଉ ଏହି ଛକାପଞ୍ଝା ଭିତରେ ଫଶି ଯାଇଛନ୍ତି ପ୍ରଶାସନିକ ଅଧିକାରୀ । କାହାର ହେବେ ସରକାରୀ ଅଧିକାରୀ ? ବିଧାୟକଙ୍କର ହେବେ ନା ସାଂସଦଙ୍କର ହେବେ ?

ଯେଉଁ ଚିତ୍ର ବଲାଙ୍ଗରରେ ଦେଖିବାକୁ ମିଳିଛି, ସମାନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଏଠିବି ଶ୍ରେୟ ନେବା ପ୍ରତିଯୋଗିତା ଭିତରେ ୧୦ ଦିନରେ ଦୁଇ ଦୁଇ ଥର ଗୋଟିଏ ରାସ୍ତାର ଶିଳାନ୍ୟାସ କରିଛନ୍ତି ବିଧାୟକ ଏବଂ ସାଂସଦ ।

ଭଟ୍ଟଗାଁରୁ ଗୋବିନ୍ଦମହାନ୍ତି ରାସ୍ତାକୁ ୧୦ ଦିନ ପୂର୍ବରୁ ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଶିଳାନ୍ୟାସ କରିଥିବା ବେଳେ ଗତକାଲି ପହଂଚିଯାଇଥିଲେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଏବଂ ଜଗତସିଂହପୁର ସାଂସଦ କୁଳମଣି ସାମଲ । ୨୦୧୯ ନିର୍ବାଚନ ପୂର୍ବରୁ କିଏ କେଉଁ କାମ କରିଛି, ତାର ଏକ ବାର୍ତା ଦେବା ପାଇଁ ନେତା ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି । ବଲାଙ୍ଗୀରରେ ଶାସକ ବିରୋଧୀ ଟଣାଓଟରା ହେଉଥିବା ବେଳେ ଜଗତସିଂହପୁରରେ ଗୋଟିଏ ଦଳ ନେତାଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା