କନକ ବ୍ୟୁରୋ: କରୋନା ମହାମାରୀ ବେଳେ ରାଜ୍ୟର ହଜାର ହଜାର ସଫେଇ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିଷ୍କାର ରଖୁଛନ୍ତି। କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ଉଠାଉଛନ୍ତି। ଏପରିକି ବହୁ ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି। ଠିକ୍ ଏହି ସମୟରେ ସେମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ହେବାର ସୁଯୋଗ ଆଣିଦେଇଛନ୍ତି। ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ଗରିମା’ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ସେପ୍ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଉପକୃତ ହେବେ। ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ପ୍ରାୟ ୨୦ହଜାର କର୍ମଚାରୀଙ୍କର ଏକ ଲକ୍ଷ ପରିବାର ସଦସ୍ୟ ଏହାଦ୍ବାରା ଉପକୃତ ହେବେ।
ଏଥିରେ ସେମାନଙ୍କୁ ସ୍ବତନ୍ତ୍ର ଭତ୍ତା, ସ୍ବାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡ଼ି କିଣିବା ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, ଇପିଏଫ୍, ଇଏସଆଇ, ଏବଂ ପରିବାର ପେନ୍ସନ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାକୁ ସଫଳ କରିବା ପାଇଁ ପ୍ରାଥମିକ ପର୍ୟ୍ୟାୟରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖିବା ସହ ଏକ ସ୍ବତନ୍ତ୍ର ରାଜ୍ୟ କମିସନ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ବ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ପରିମଳକୁ ଗାନ୍ଧୀଜୀ ସ୍ବାଧୀନତାଠାରୁ ଅଧିକ ଗୁରୁତ୍ବ ଦେଉଥିଲେ। ତେଣୁ ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ବାପୁଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ବାପୁଙ୍କ ସ୍ବପ୍ନକୁ ସାକାର କରିବା ସହ ସଫେଇ କର୍ମଚାରୀଙ୍କୁ ସମାଜରେ ଉଚିତ ସ୍ଥାନ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ୍ ଯୁଦ୍ଧ ସମୟରେ ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବିପଦରେ ପକାଇ ସେବା କରୁଥିବାରୁ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଥିଲେ ଯେ ପରିମଳ କର୍ମଚାରୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ସଫେଇ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜେନା କହିଥିଲେ। ଏହି ଯୋଜନାରେ କୋର୍ ସଫେଇ କର୍ମଚାରୀ ତଥା ମୂଳ ପରିମଳ କର୍ମଚାରୀ ଯେଉଁମାନେ ଶୌଚାଳୟ ନଳା, ବୃହତ ନଳା, ସେପ୍ଟିକ ଟାଙ୍କି, ମଳପଙ୍କ ପରିଚାଳନା ତଥା ଜଳ ନିଷ୍କାସନ ଓ ପରିଚ୍ଛନ୍ନତା ରକ୍ଷଣାବେକ୍ଷଣ କରିଥା’ନ୍ତି, ସେମାନେ ଉପକୃତ ହେବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/EcUgDnWUMAESjZA.jpg)