ବଦଳିବ ସ୍ୱର୍ଗଦ୍ୱାରର ରୂପରେଖ । ହଟିବ ଜବରଦଖଲ, ନିର୍ମାଣ ହେବ ପିଣ୍ଡି । ଶବ ବାହକଙ୍କ ପାଇଁ ହେବ ସ୍ୱତନ୍ତ୍ର ସୁବିଧା

469

କନକ ବ୍ୟୁରୋ : ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରି ଗଢି ତୋଳିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ମନ୍ଦିର ଚାରି ପାଖରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ସିଂହଦ୍ୱାର ପଟକୁ ସୌନ୍ଦର୍ୟ୍ୟୀକରଣ କରାଯାଉଛି। ଏହି ପ୍ରକ୍ରିୟାରେ ଶ୍ରୀମନ୍ଦିର ଓ ବଡଦାଣ୍ଡ ସହ ସ୍ୱର୍ଗଦ୍ୱାରର ପୁନର୍ବିନ୍ୟାସ କରିବାକୁ ଯୋଜନା କରାଯାଇଛି।

ସ୍ୱର୍ଗଦ୍ୱାରକୁ ଶବ ଦାହ ପାଇଁ ଆସି କଲବଲ ହେଉଥିବା ଶବବାହକ ଓ ମୃତକଙ୍କ ସଂପର୍କୀୟଙ୍କୁ ଆଉ ଯନ୍ତ୍ରଣା ସହିବାକୁ ପଡିବ ନାହିଁ। ସ୍ୱର୍ଗଦ୍ୱାରର ନବକଳେବର କରାଯିବ। ଖୁବଶୀଘ୍ର କାମ ଆରମ୍ଭ ହେବ। ତେବେ ପୁରୀ ସ୍ୱର୍ଗଦ୍ୱାର କିଭଳି ଦିଶିବ, କେମିତି ବଦଳିବ, ଶବବାହକଙ୍କ ପାଇଁ କ’ଣ ସୁବିଧା ରହିବ ତା’ର ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏ‌ ନେଇ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଏକ ପ୍ରତିନିଧି ଦଳ ସ୍ୱର୍ଗଦ୍ୱାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେଲଙ୍ଗାନାରେ ନିର୍ମାଣ ହୋଇଥିବା ଏକ ଶ୍ମଶାନ ଢାଞ୍ଚାରେ ସ୍ୱର୍ଗଦ୍ୱାର ନିର୍ମାଣ ହେବ। ସଂପୃକ୍ତ ସଂସ୍ଥା ଏ ନେଇ ଏକ ଚୂଡାନ୍ତ ନକ୍ସା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି। ଏହି ପ୍ରତିନିଧି ଦଳ ଦେଇଥିବା ନକ୍ସା ମୁତାବକ ସ୍ୱର୍ଗଦ୍ୱାର କଳେବର ବଦଳିବ।

ପ୍ରଥମେ ସ୍ୱର୍ଗଦ୍ୱାର ଯେଉଁ ଭଳି ଭାବେ ସଙ୍କୁଚିତ ରହିଛି ତାହାର ସଂପ୍ରସାରଣ କରାଯିବ। ସ୍ୱର୍ଗଦ୍ୱାରକୁ ଜବରଦଖଲ ମୁକ୍ତ କରାଯିବ। ସ୍ୱର୍ଗଦ୍ୱାର ସଙ୍କୁଚିତ ହୋଇଥିବାରୁ ଏଠାରେ ଶବଦାହ କରିବାକୁ ଜାଗା ମିଳୁନାହିଁ। ତେଣୁ ଏକକାଳୀନ ଶତାଧିକ ଶବ ଦାହ ପାଇଁ ପିଣ୍ଡି ନିର୍ମାଣ କରାଯିବ। ସେହି ପିଣ୍ଡି ଉପରେ ସ୍ଥାୟୀ ଛାତ ରହିବ। ଏହିଭଳି ଏକାଧିକ ପିଣ୍ଡି ନିର୍ମାଣ କରାଯିବ। ‌ଅସ୍ଥି ରଖିବା ପାଇଁ ଟ୍ରେଜେରୀ ବାକ୍ସ ଭଳି ଏକାଧିକ ବକ୍ସ ନିର୍ମାଣ କରାଯିବ। ଶବ ନେଇ ଆସୁଥିବା ଆମ୍ବୁଲାନ୍‌ସ ଓ ଗାଡିଗୁଡିକର ପାର୍କିଂ ପାଇଁ ‌ଯେଉଁ ସମସ୍ୟା ରହିଥିଲା ତାକୁ ଦୂର କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପାର୍କିଂ ସ୍ଥାନ ନିର୍ମାଣ କରାଯିବ। ଅନ୍ୟ ପକ୍ଷରେ ଶବ ନେଇ ଆସୁଥିବା ଶବ ବାହକଙ୍କୁ ସମସ୍ତ ସୂବିଧା ‌ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଗାଧୁଆ ଘର ଓ ପାଇଖାନା ରହିବ, ବସିବା ପାଇଁ ଏକ ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବ। ସୁବିଧା ପାଇଁ ସେଠାରେ ଚା, ଜଳଖିଆ ଦୋକାନ ମଧ୍ୟ ରହିବ। ପ୍ରତୀକ୍ଷା ଗୃହରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ଏଥି ସହିତ ସ୍ୱର୍ଗଦ୍ୱାର ପରିସରକୁ ପରିଚ୍ଛନ ରଖାଯିବ। ଏଠାରେ ଘାସ ଗାଲିଚା ବିଛାଯିବ।

ଗତକା ଲି ପ୍ରତିନିଧି ଦଳ ଆସି ଏ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଫେରିଛନ୍ତି। ଗତ ବର୍ଷ ସ୍ୱର୍ଗଦ୍ୱାରର ପୁନରୁଦ୍ଧାର ପାଇଁ ପ୍ରାୟ ୬୫ କୋଟି ଟଙ୍କାର ଏକ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ଶବଦାହ ପାଇଁ ପିଣ୍ଡି, ସିସିଟିଭି କ୍ୟାମେରା, ପ୍ରାଚୀର, ସୁରକ୍ଷା କର୍ମୀ ନିୟୋଜିତ ହେବା ଭଳି ଅନେକ ଯୋଜନା ପ୍ରସ୍ତୁତ ହୋଇଥିଲା। ପୌରାସଂସ୍ଥାର ଅଧିକାରୀ ବଦଳିବା ପରେ ଏହି ଡିପିଆରଟି କାର୍ଯ୍ୟକାରୀ ହୋଇପାରିନଥିଲା।