ଅଣସଂକ୍ରମିତ ଅଂଚଳରେ ଆଜିଠୁ କଟକଣା କୋହଳ: ଚାଷକାମ, ନିର୍ମାଣ, ସେବା କ୍ଷେତ୍ର ଓ ସାମଗ୍ରୀ ପରିବହନକୁ ଅନୁମତି; ରାଜ୍ୟ ଭିତରେ କାମ କରିପାରିବେ ପ୍ରବାସୀ ଶ୍ରମିକ

ଅନଲାଇନରେ ମଗାଇହେବ ଜରୁରୀ ସାମଗ୍ରୀ

441

କନକ ବ୍ୟୁରୋ: କରୋନା ପାଇଁ ରାଜ୍ୟରେ ଲାଗୁ ହୋଇଥିବା କଟକଣା ଆଜିଠାରୁ କୋହଳ ହେବାକୁ ଯାଉଛି । ବିଶେଷ ଭାବେ ସଂକ୍ରମଣ ବଢି ନଥିବା ଓ ସଂକ୍ରମିତ ହେବାର ଆଶଙ୍କା ନଥିବା ଅଂଚଳରେ ଏହି କଟକଣା କୋହଳ କରାଯିବ । ତେବେ ଏହି ସମୟରେ କେଉଁ ସବୁ ଗତିବିଧିକୁ ଅନୁମତି ମିଳିବ ଓ କେଉଁ ସବୁ ଗତିବିଧି ଉପରେ ପୂର୍ବ ଭଳି କଟକଣା ରହିବ ସେନେଇ ବିସ୍ତୃତ ରିପୋର୍ଟ ଜାରି କରିଛନ୍ତି ସରକାର । ଆଜିଠାରୁ ଗାଡି଼ ଚଳାଚଳ ହେବ । ତେବେ କେବଳ ଜରୁରୀ କାମରେ ଗାଡି ନେଇ ଲୋକେ ବାହାରି ପାରିବେ ।

୪ ଚକିଆ ଗାଡିରେ ଡ୍ରାଇଭର ସହ ପଛସିଟରେ ଜଣେ ପାସେଞ୍ଜର ବସିବେ । ସେହିପରି ୨ ଚକିଆ ଗାଡିରେ କେବଳ ଜଣେ ଯିବାକୁ ଅନୁମତି ମିଳିବ । ଟ୍ୟାକ୍ସି, ଅଟୋରିକ୍ସା ଓ କ୍ୟାବ ସେବା ମେ’ ୩ ତାରିଖ ଯାଏଁ ବନ୍ଦ ରହିବ । ତେବେ ଏହି ସମୟରେ ଗାଡି ମରାମତି ଦୋକାନ ଖୋଲା ରହିବ । ଆଜିଠାରୁ ଅଫିସ ଖୋଲିବ । ତେବେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଆଇଟି କମ୍ପାନି । ଅନ୍ୟାନ୍ୟ ଅଫିସ ୩୩ ପ୍ରତିଶତ କର୍ମଚାରୀରେ ଚଳାଇବେ । ସାମାଜିକ ଦୂରତା ରଖି ବଡ ଗାଡିରେ ଅଫିସ ଆସିବେ କର୍ମଚାରୀ । ଅଫିସ ଭିତରେ ୧୦ ଫୁଟ୍ ଦୂରତା ରଖି କର୍ମଚାରୀ କାମ କରିବେ । ଭିନ୍ନ ଭିନ୍ ସିଫ୍ଟରେ କର୍ମଚାରୀ ଆସିବେ ଓ ଅଲଗା ଅଲଗା ଲଂଚବ୍ରେକ ରହିବ । ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ଆସିବାକୁ ବାଧ୍ୟ । ଲିଫ୍ଟରେ ୪ ଜଣରୁ ଅଧିକ ଯାଇପାରିବେ ନାହିଁ । ଅଫିସରେ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି । ୬୫ ବର୍ଷରୁ ଅଧିକ ଓ ୫ବର୍ଷରୁ କମ ବୟସର ପିଲା ଥିବା କର୍ମଚାରୀ ଘରୁ କାମ କରିବେ ।

ସେହିପରି ଆମାଜନ୍, ଫ୍ଲିପକାର୍ଟ ଭଳି ଅନଲାଇନ ସପିଂ ସଂସ୍ଥା କାରବାର ଜାରି ରଖିବେ । ହେଲେ କେବଳ ଜରୁରୀ ସାମଗ୍ରୀ ଯୋଗାଇ ପାରିବେ ଏସବୁ ଅନଲାଇନ ସଂସ୍ଥା । ଆଜିଠାରୁ ଆରମ୍ଭ ହେବ ସମସ୍ତ ପ୍ରାକର ନିର୍ମାଣ କାମ । ତେବେ କେତେକ କଟକଣା ଭିତରେ ଚାଲିବ ରିୟଲ ଇଷ୍ଟେଟ୍ କାମ । ବାହାର ରାଜ୍ୟରୁ ଶ୍ରମିକ ଆଣିପାରିବେନି ଠିକାଦାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ କୃଷି କାମ । ଖାଦ୍ୟ ସାମଗ୍ରୀ ପ୍ୟାକେଟିଂ ଓ ବିତରଣକୁ ଅନୁମତି ଦିଆଯିବ । ତେବେ ଏସଂପର୍କୀତ କମ୍ପାନି ସାମାଜିକ ଦୂରତା ରଖି କାମ କରିବେ । ଇଲେକ୍ଟ୍ରିସିଆନ, ପାଣି ପାଇପ ମିସ୍ତ୍ରୀ, ମୋଟର ମେକାନିକ କାମ କରିପାରିବେ । କାଠ କାମ ଓ କୋରିଅର ସେବାକୁ କଟକଣା ମୁକ୍ତ କରାଯାଇଛି । କେବୁଲ ଓ ଡିଟିଏଚ ସେବା ପ୍ରଦାନକାରୀ ମରାମତି ଓ ସେବା ଜାରି ରଖିବେ । ଆଜିଠାରୁ ଅବାଧରେ ହେବ ସମସ୍ତ ପ୍ରକାର ସାମଗ୍ରୀ ପରିବହନ । ଟ୍ରେନ୍ ଓ କାର୍ଗୋ ବିମାନରେ ସାମଗ୍ରୀ ପରିବହନକୁ କଟକଣା ମୁକ୍ତ କରାଯାଇଛି ।

ଦୁଇଜଣ ଡ୍ରାଇଭର ଓ ଜଣେ ହେଲ୍ପରରେ ଚାଲିବ ଟ୍ରେନ ଓ କାର୍ଗୋ ବିମାନ । ବ୍ୟାଙ୍କ, ଏଟିଏମ, ପୋଷ୍ଟ ଅଫିସ ଓ ପେଟ୍ରୋଲ ପମ୍ପ ଖୋଲା ରହିବ । ହସ୍ପିଟାଲ, ନର୍ସିଂହୋମ, ଲାବୋରେଟୋରୀ ଓ ଔଷଧ ଦୋକାନ ଖୋଲା ରହିବ । ଆମ୍ବୁଲାନ୍ସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ । କରୋନା ବିରୋଧୀ ଲଢେଇ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଜାରି ହୋଇଥିବା ଲକଡାଉନ୍ ୨୦ ତାରିଖରୁ କୋହଳ ହେବା ନେଇ ସଂକେତ ଦେଇଥିଲେ ସରକାର । କେତେକ ସର୍ତ ସହିତ ତାଲାବନ୍ଦ କଟକଣା କୋହଳ ହେବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠାରୁ ସାରା ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବ । କରୋନା ହଟସ୍ପଟ ଅଂଚଳକୁ ବାଦ ଦେଇ ଅନ୍ୟ ସ୍ଥାନରେ କଟକଣା କୋହଳ ହେବ ।