କନକ ବ୍ୟୁରୋ : କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧ୍ୟାପକଙ୍କର ବୁର୍ଲାରେ ମୃତ୍ୟୁ ହୋଇଛି । ମୃତ ଅଧ୍ୟାପକ ଜଣଙ୍କ ହେଲେ ଝାରସୁଗୁଡ଼ା ଏଚ.କଟାପାଲି କଲେଜର ଅମିତ କୁମାର ବାରିକ । ତେବେ ଛାତ୍ର ଜଣଙ୍କ ଅଧ୍ୟାପକଙ୍କୁ ମାଡ଼ ମାରିବା ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଅଧ୍ୟାପକଙ୍କୁ ଛାତ୍ର ମାଡ଼ ମାରିବା ପରେ ସେହିଠାରେ ହିଁ ପଡ଼ିଯାଇଥିଲେ ଅଧ୍ୟାପକ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ୮ ମାସ ପରେ ଅଧ୍ୟାପକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି କଥାକୁ ନେଇ ଛାତ୍ର ରାଜେଶ କୁମାର ସହିସଙ୍କୁ ଗତ ଫେବୃଆରୀ ମାସରେ ଅଧ୍ୟାପକ ଆକଟ କରିବାରୁ ଛାତ୍ର ଜଣଙ୍କ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଛାତ୍ର ଜଣକ ଜାମିନରେ ମୁକୁଳିଛନ୍ତି । ହେଲେ ଅଧ୍ୟାପକଙ୍କ ମୃତ୍ୟୁ ପରେ ଏବେ ଛାତ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇପାରେ ବୋଲି କୁହାଯାଉଛି ।

Advertisment