ପେଶା ପୋଲିସ ଚାକିରି, ହେଲେ ନିଶା ତାଙ୍କର ଚାଷ କାମ। ୧୬ ଏକର ଜମିରେ ଲଗାଇଛନ୍ତି ବିଭିନ୍ନ ପ୍ରଜାତିର ଆମ୍ବ

823

କନକ ବ୍ୟୁରୋ: ପେଶା, ପୋଲିସ ଚାକିରି କିନ୍ତୁ ନିଶା ଚାଷ କାମ କରିବା । ପୋଲିସ ଚାକିରି ଅପେକ୍ଷା ତାଙ୍କୁ ଚାଷ କାମରୁ ମିଳୁଛି ସ୍ୱତନ୍ତ୍ର ପରିଚୟ । ଆମେ କହୁଛୁ ବୌଦ୍ଧ ତିଲେଶ୍ୱର ଗାଁର ପ୍ରଶାନ୍ତ ସାହୁଙ୍କ କଥା । ସେ ନିଜେ ଜଣେ ପୋଲିସ ଅଫିସର ହୋଇ ବି ନିଜସ୍ୱ ଉଦ୍ୟମରେ ୧୬ ଏକର ଜମିରେ ଆମ୍ବ ଚାଷ କରିଛନ୍ତି । ଦୋଷାରି, ଆମ୍ରପଲି, ନିଲମ, ଲେଙ୍ଗଡ଼ା ଓ ମଲ୍ଲିକା ଭଳି ୫ଟି ପ୍ରକାରର ଆମ୍ବ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି । ଆଉ ଏହି କାମରେ ସ୍ଥାନୀୟ ଅଂଚଳର ୧୫ରୁ ୨୦ ଜଣଙ୍କୁ ସେ ନିୟୋଜିତ କରିଛନ୍ତି । ଏହା ଦ୍ୱାରା ସେମାନେ କିଛି ରୋଜଗାର କରି ଉପକୃତ ହୋଇପାରୁଛନ୍ତି ।

ବାପାଙ୍କ ସ୍ୱପ୍ନକୁ ପୁରଣ କରିବାକୁ ଯାଇ ପ୍ରଶାନ୍ତ ପୋଲିସ ଚାକିରି କରିଥିଲେ । ହେଲେ ପିଲାଦିନୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା । ଚାକିରି କରି ମଧ୍ୟ ଚାଷ କାମ ଜାରି ରଖିଛନ୍ତି । ଯାହା ତାଙ୍କୁ ବେଶ ଆନନ୍ଦ ଦେଉଛି । ଆଉ ଏବେ ରୁତୁକାଳୀନ ଫସଲ ଭାବେ ଭଲ ଆମ୍ବ ଆସିଛି । ଫାର୍ମରେ ଥିବା ଆମ୍ବ ଗଛରେ ପେନ୍ଥା ପେନ୍ଥା ଅମ୍ବ ସମସ୍ତଙ୍କ ମନମୋହୁଛି ।

ଖାଲି ଆମ୍ବ ନୁହେଁ ପ୍ରଶାନ୍ତଙ୍କ ଏହି ଫାର୍ମରେ ପିଜୁଳି, ଷ୍ଟ୍ରବେରୀ, ନାସ୍ପାତି, କ୍ୟାପ୍ସିକମ୍ ଭଳି ଚାଷ ହୋଇଛି । ଉଦ୍ୟାନ ବିଭାଗ ପକ୍ଷରୁ ସହାୟତା ଓ ପରାମର୍ଶ ନେଇ ସେ ତାଙ୍କ ଚାଷକୁ ଅଗକୁ ବଢାଇପାରିଛନ୍ତି ।