ପ୍ରଫେସର ସନ୍ତୋଷ ତ୍ରିପାଠୀ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ କୁଳପତି

62

କନକ ବ୍ୟୁରୋ : ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ସଂକ୍ଷିପ୍ତ ତାଲିକାରେ ଥିବା ତିନି ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶ୍ରୀ ତ୍ରିପାଠୀଙ୍କ ନାମ ଘୋଷଣା କରିଛନ୍ତି । କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିବେ । ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆର ବିଭାଗର ପ୍ରଫେସର ଶ୍ରୀ ତ୍ରିପାଠୀଙ୍କର ୩୦ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ତାଙ୍କ ଅଧୀନରେ ୧୭ ଜଣ ପିଏଚ୍‌ଡି ଓ ୪୦ ଜଣ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରିଛନ୍ତି ।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି । ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ । ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌ ଲାଗୁ କରାଯାଇଥିଲା। ଏହି ସମୟ ମଧ୍ୟରେ କଲେଜ ଶିକ୍ଷକଙ୍କ ଲାଗି ୪ଟି ତାଲିମ କାର୍ଯ୍ୟକ୍ରମ, ୨୦୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁରାଲ କ୍ୟାମ୍ପସ ଲାଗି ଯାଜପୁରର ସିଆଠାରେ ଜମି ଚିହ୍ନଟ ହୋଇଥିଲା ।

ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଉତ୍ସବକୁ ସଫଳ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଥିସହ ବିଭିନ୍ନ କମିଟି ଓ ଶିକ୍ଷକ ସଙ୍ଗଠନର ପ୍ରମୁଖ ପଦ ପଦବି‌ରେ ରହି କାର୍ଯ୍ୟ ତୁଲାଇଛନ୍ତି । ତାଙ୍କ ଦ୍ବାରା ଲିଖିତ ଜର୍ଣ୍ଣାଲ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି । ଶିକ୍ଷା ଓ ଗବେଷଣାରେ ପାଇଁ ଆମେରିକା, ନେପାଳ, ମାଲଦୀପ, ଭୁଟାନ୍‌ ପ୍ରଭୃତି ଦେଶକୁ ଗସ୍ତ କରିଥିଲେ। ନିଯୁକ୍ତିପତ୍ର ପାଇବା କ୍ଷଣି ପ୍ରଫେସର ଶ୍ରୀ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଛନ୍ତି । ଭର୍ଚୁଆଲ ମାଧ୍ୟମରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଉତ୍ତର ଓଡ଼ିଶାର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।