ପ୍ରଫେସର ରଞ୍ଜନ କୁମାର ବଳ ହେଲେ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି

141

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ଓ ବ୍ୟବସାୟ ପରିଚାଳନା ଫ୍ୟାକଲଟିର ପୂର୍ବତନ ଡିନ୍ ତଥା ଇଣ୍ଡିଆନ୍ ଆକାଉଣ୍ଟିଂ ଆସୋସିଏସନର ପୂର୍ବତନ ଜାତୀୟ ସଭାପତି ପ୍ରଫେସର ରଞ୍ଜନ କୁମାର ବଳ ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଫେସର ବଳ ଦୀର୍ଘ ତିନି ଦଶନ୍ଧୀରୁ ଅଧିକ ସମୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଡିନ୍, ପିଜି କାଉନସିଲ୍ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ ଓ ସିଣ୍ଡିକେଟ୍ ସଦସ୍ୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି ।

ଏଏସବିଏମ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏବଂ କର୍ମଚାରୀମାନଙ୍କରଏକ ସମାବେଶରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ନୂତନ କୁଳପତି ପ୍ରଫେସର ବଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଅଭିନନ୍ଦନ କରିଥିଲେ ।

ପ୍ରଫେସର ବଳ ବିଜନେସ୍ ଆଡମିନିଷ୍ଟ୍ରେସନରେ ପିଏଚଡି ହାସଲ କରିବା ସହ ଆଇଆଇଏମ୍ ଅହମ୍ମଦାବାଦରୁ ଅଧ୍ୟାପନା ବିକାଶ ବିଷୟରେ ଯୋଗ୍ୟତା ହାସଲ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ସେଲର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ପ୍ରଫେସର ବଳଙ୍କ ଅଧୀନରେ ୩୨ ଜଣ ଛାତ୍ରଛାତ୍ରୀ ଗବେଷଣା କରି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସେ ସାତଟି ପୁସ୍ତକ ଓ ୮୪ଟି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳପତି ଚୟନ କମିଟି ଏବଂ ପରିଚାଳନା ବୋର୍ଡ ୩ ଜଣ ଶିକ୍ଷାବିତଙ୍କ ନାମ କୁଳପତି ପଦବୀ ପାଇଁ ସୁପାରିସ୍ କରିଥିଲେ । ସେଥିମଧ୍ୟରୁ ଏଏସବିଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ୍ ପଟ୍ଟନାୟକ କୁଳପତି ପଦବୀରେ ପ୍ରଫେସର ବଳଙ୍କୁ ନିଯୁକ୍ତ ଦେଇଛନ୍ତି ।