ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବଙ୍କ ବିୟୋଗ

Advertisment
ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବଙ୍କ ବିୟୋଗ

କନକ ବ୍ୟୁରୋ : ଓଡିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡିଶା ରିଭିଉ’ର ର୍ପୂବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୃତ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ପଫେସର ମିଶ୍ରଙ୍କ ପରଲୋକରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସାହିତ୍ୟିକ ଓ ତାଙ୍କ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ବହୁ ଲେଖକ, କବି ଓ ଆତ୍ମୀୟଜ୍ବଜନ ନୂଆପଲ୍ଲୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ଅଂଶୁମାନ ମିଶ୍ର ମୁଖାଗ୍ନି ଦେଇଥିଲେ ।

ପ୍ରଫେସର ମିଶ୍ର ୧୫ ଜାନୁଆରି ୧୯୪୨ରେ ଜଗତସିଂହପୁର ଜିଲ୍ଲାର ବାଇଶିମୌଜା ଅନ୍ତର୍ଗତ ଡିହସାଇବିର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତା ଥିଲେ କବିରାଜ ଗୌରାଙ୍ଗଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଦେବୀ । ରେଭେନ୍‍ସା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଡିଗ୍ରି ଓ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିବା ପରେ ସେ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଭାବେ ସେ ସେବାନିବୃତ୍ତ ହୋଇଥିଲେ । ଦୁଇଟି ପର୍ଯ୍ୟାୟରେ ୧୯୯୪ରୁ ୯୬ ଏବଂ ୨୦୦୩ରୁ ୦୪ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ଓଡ଼ିଶା ସରକାରଙ୍କ ସୂଚନା ଲୋକସଂପର୍କ ବିଭାଗ ତରଫରୁ ପ୍ରକାଶିତ ମାସିକ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସଂପାଦନା କାର୍ଯ୍ୟ ମଧ୍ୟ ନିର୍ବାହ କରିଥିଲେ । ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ଆଗାଧ ପାଣ୍ଡିତ୍ୟ ଥିବା ପ୍ରଫେସର ମିଶ୍ର ଅନେକ ମୌଳିକ, ଅନୂଦିତ ଓ ଗବେଷଣାଲବ୍ଧ ପୁସ୍ତକର ମଧ୍ୟ ସ୍ରଷ୍ଟା ।

‘ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସର ମରମ କଥା’, ଜଗନ୍ନାଥ ଭଜନ ସାର ସଂଗ୍ରହ, ଓଡ଼ିଆ ଭାଷାକୋଷ (୧୦ ଖଣ୍ଡ), ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ (୪ ଖଣ୍ଡ), କବିତା ସଂକଳନ ‘ବିଫଳତା ସପକ୍ଷରେ’, ଶ୍ରୀଗୁରୁ ଭାଗବତ – ଏକ ଦିବ୍ୟାନୁଭୂତି ଓ ବିଦ୍ୟାନୁଭବ, ବିପ୍ଳବୀ ଚାଖି ଖୁଣ୍ଟିଆ, ଉତ୍କଳଗୌରବ ମଧୁସୂଦନ ଦାସ, ଚଳନ୍ତି ଓଡ଼ିଆ ଅଭିଧାନ, ପ୍ରଶାସନ ଶବ୍ଦକୋଷ, ବ୍ୟାସକବି ଫକୀରମୋହନ- ପ୍ରିକର୍ସର ଅଫ ଏ ନ୍ୟୁ ଏରା, ଏ ସ୍କେଚ୍‌ ଅଫ୍‌ ସ୍ପିଙ୍ଗ୍, ଗ୍ରୋମ୍‌ସ୍‌ ରିପୋର୍ଟ ଅନ୍‌ ଲଡ୍‌ ଜଗନ୍ନାଥ, ଜର୍ଜ ୱେବ୍‌’ସ୍‌ ରିପୋର୍ଟ ଅନ୍‌ ଜଗନ୍ନାଥ, ନବକଳେବର, ସିଫ୍ଟିଂ କ୍ୟାପିଟାଲ୍‌ ଫ୍ରମ୍‌ କଟକ ଟୁ ଭୁବନେଶ୍ବର ଓ ଦ ଗ୍ରେଟ୍‌ ଫେମିନ୍‌ ଆଦି ତାଙ୍କର ଉଲ୍ଲେଖନୀୟ କୃତି । ଏତଦ୍‍ବ୍ୟତୀତ ବେଦ, ଉପନିଷଦ, ଦର୍ଶନ, ସଙ୍ଗୀତ ଓ ଜ୍ୟୋତିଷଶାସ୍ତ୍ର ଆଦି ଉପରେ ସେ ଶତାଧିକ ପ୍ରବନ୍ଧ ରଚନା କରିଛନ୍ତି। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ତାଙ୍କର ରୁଚି ଥିଲା । ତାଙ୍କ ଜେଜେବାପା ଗଣେଶ ମିଶ୍ର ଥିଲେ ଜଣେ ଜ୍ୟୋତିର୍ବିଦ। ତାଙ୍କଠାରୁ ଉତ୍ତରାଧିକାରୀ ସୁତ୍ରରେ ଏହି ବିଦ୍ୟା ରାଜକିଶୋରଙ୍କ ପାଖକୁ ଆସିଥିଲା ।

ଜଣେ ପ୍ରଚଣ୍ଡ ବାଗ୍ମୀ ଭାବେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି। ଓଡ଼ିଆ, ଇଂରାଜୀ ଓ ସଂସ୍କୃତ ଭାଷାରେ ବୈଦିକ ସାହିତ୍ୟଠାରୁ ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ଅନର୍ଗଳ ବକ୍ତୃତା ପ୍ରଦାନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେବାର ତାଙ୍କର ଅପୂର୍ବ ଦକ୍ଷତା ଥିଲା । ଜଣେ ସଂଗଠକ ଭାବରେ ପ୍ରଫେସର ମିଶ୍ର ଇମ୍ଫା ଚାରିଟେବଲ୍‍ ଟ୍ରଷ୍ଟ୍‌ ଦ୍ୱାରା ପରିଚାଳିତ ‘ଶାରଳା ପୁରସ୍କାର କମିଟି’ ତଥା ‘ଓଡ଼ିଶା ସଂସ୍କୃତି ପରିଷଦ’ର ସଂପାଦକ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।  ତାଙ୍କର ଜୀବନର ଆଉ ଏକ ଉଲ୍ଲେଖନୀୟ ଦିଗ ହେଲା, ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବା ପାଇଁ ନିଯୁକ୍ତ ହୋଇଥିଲେ। ପରେ ସେ ରୋମାନ ଲିପିରେ ଓଡ଼ିଆ ଅକ୍ଷର ଲେଖିବା ବ୍ୟବସ୍ଥା ସୃଷ୍ଟି କରିଥିଲେ। ଆଜିକାଲି ମୁଖ୍ୟମନ୍ତ୍ରୀ ଯେଉଁସବୁ ଓଡ଼ିଆ ଭାଷଣ ଦେଉଛନ୍ତି, ତାହା ରୋମାନ ଲିପିରେ ଲିଖିତ ଓଡ଼ିଆ ଭାଷଣ, ଯାହାର ଆଦ୍ୟ ଉଦ୍ୟୋକ୍ତା ଥିଲେ ପ୍ରଫେସର ରାଜକିଶୋର ମିଶ୍ର । ପ୍ରଫେସର ମିଶ୍ର ତାଙ୍କ ପତ୍ନୀ ରେଣୁକା ଆଚାର୍ଯ୍ୟ, ଏକମାତ୍ର ପୁଅ ଅଂଶୁମାନ ମିଶ୍ର, ପୁତ୍ରବଧୂ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ର ଏବଂ ୨ଟି ଝିଅ ରୀନା ମିଶ୍ର ଓ ରୀତି ମିଶ୍ରଙ୍କୁ ଛାଡ଼ି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe