କନକ ବ୍ୟୁରୋ: ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିରକୁ ଛୁଟୁଥିଲା ଶ୍ରଦ୍ଧାଳୁଙ୍କ ଭିଡ । ହିମାଚଳପ୍ରଦେଶ ସିମଲା ସମରହିଲରେ ଥିବା ୨୦୦ ବର୍ଷ ପୁରୁଣା ଶିବ ମନ୍ଦିରକୁ ପୂଜା ପାଇଁ ଗଲେ ପ୍ରଫେସର ମାନସୀ ବର୍ମା । ସାଙ୍ଗରେ ଥିଲେ ଓକିଲ ସ୍ୱାମୀ ହରିଶ ବର୍ମା । ଘରେ ୧୪ ବର୍ଷର ଝିଅ ଶୀତଲକୁ ଫୋନ ଦେଇ କହିଲେ ଠାକୁର ଦର୍ଶନ ସାରି ଶୀଘ୍ର ଫେରିଆସିବେ ବୋଲି । ହେଲେ ଆଉ ଫେରିଲେ ନାହିଁ ।ଶ୍ରାବଣର ଶିବ ଦର୍ଶନ ଥିଲା ତାଙ୍କ ଜୀବନର ଶେଷ ଦର୍ଶନ ।

Advertisment

ହଠାତ ପାହାଡରୁ ଖସିଆସିଲା ମୃତ୍ୟୁ । ବିଶାଳ ପାହାଡ ଚାହୁଁଚାହୁଁ ଧସିବାରେ ଲାଗିଲା । ତାରି ଭିତରେ କେଉଁଆଡେ ନିଶ୍ଚିହ୍ନ ହୋଇଗଲେ ପ୍ରଫେସର ମାନସୀ ଓ ତାଙ୍କ ସ୍ୱାମୀ । ତାଙ୍କ ସହ ମନ୍ଦିର ଭିତରେ ଦବିଗଲେ ପାଖାପାଖି ୫୦ ଶ୍ରଦ୍ଧାଳୁ । କ୍ରମାଗତ ଉଦ୍ଧାର କାର୍ଯ୍ୟ ପରେ ଏଯାଏଁ ୧୨ଜଣଙ୍କ ମୃତ ଶରୀର ଉଦ୍ଧାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ଭିତରେ ଅଛି ମାନସୀ ଓ ତାଙ୍କ ସ୍ୱାମୀ ହରିଶଙ୍କ ମୃତଦେହ । ହେଲେ ମାନସୀଙ୍କ ଶରୀର ଏଭଳି ସ୍ଥିତିରେ ରହିଛି ଯାହାକୁ ଦେଖିବା କଷ୍ଟକର ।

ମାନସୀଙ୍କ ଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଉଦ୍ଧାର ପରେ ଦମ୍ପତ୍ତିଙ୍କ ମୃତ ଶରୀରକୁ ଆଜିଏମସି ହସ୍ପିଟାଲକୁ ପୋଷ୍ଟମର୍ଟମ ପାଇଁ ପଠାଗଲା । ପୋଷ୍ଟମର୍ଟମ ରିପୋର୍ଟର ଯାହା ଜଣାପଡିଲା ତାହା ବାସ୍ତବରେ ହୃଦୟବିଦାରକ ଥିଲା । ପ୍ରଫେସର ମାନସୀ ୭ ମାସର ଭର୍ଗବତୀ ଥିଲେ । ହେଲେ ଭୂସ୍ଖଳନରେ ତାଙ୍କ ଭୁଣ ମଧ୍ୟ ଗର୍ଭରୁ ବାହାରିଯାଇ ଦବିଯାଇଥିଲା । ଘରେ ଏକୁଟିଆ ଥିବା ଝିଅ ଶୀତଲ ମା’କୁ ଝୁରି ଝୁରି ବିକଳ ହେଉଥିଲା ।

ପ୍ରକୃତିର ଏହି ତାଣ୍ଡବରେ କେବଳ ମାନସୀ ନୁହଁନ୍ତି ତାଙ୍କ ପରିଚିତ ମଧ୍ୟ ପ୍ରାଣ ହରାଇଛନ୍ତି । ଶିବ ଦର୍ଶନ ପାଇଁ ଯାଇଥିବା ଅନ୍ୟଜଣେ ପ୍ରଫେସର ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ସମରହିଲର ଏହି ଘଟଣା ସାରା ରାଜ୍ୟକୁ ଦେହଲାଇଦେଇଛି । ଶିବମନ୍ଦିରକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ସମ୍ପର୍କୀୟ ସେମାନଙ୍କ ବାଟ ଚାହିଁ ରହିଛନ୍ତି ।
ହିମାଚଳ ପ୍ରଦେଶରେ ପ୍ରକୃତି କ୍ରମାଗତ ଭାବେ ନିଜର କରାଳ ରୂପ ଦେଖାଉଛି । ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଏଠିକାର ଜନଜୀବନକୁ ଛାରଖାର କରିଦେଇଛି । ଗୋଟେପଟେ ଭାଙ୍ଗଡା ଡ୍ୟାମର ଗେଟ୍ ଖୋଲିଥିବାରୁ ପାଖାପାଖି ୨୦ରୁ ଅଧିକ ଗାଁ ପାଣିରେ ବୁଡିଛି । ଅନ୍ୟପଟେ ଭୂସ୍ଖଳନରେ ମାଟିରେ ନିଶ୍ଚିହ୍ନ ହୋଇଯାଉଛି ଶହଶହ ଘର । ଆଉ ତା ଭିତରେ ଦବିଯାଉଛି ଅନେକ ଜୀବନ ।

ସମରହିଲ ଭୂସ୍ଖଳନ ଘଟଣାରେ ଏବେବି ଉଦ୍ଧାର ଜାରି ରଖିଛନ୍ତି ସେନା ସହ ଅନ୍ୟ ଉଦ୍ଧାରକାରୀ ଟିମ୍ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦରସିଂହ ସୁଖ ଘଟଣାସ୍ଥଳ ବୁଲି ଦେଖିବା ସହ ପୀଡିତ ଓ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେମାନଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।