ମେ’ ପ୍ରଥମ ସପ୍ତାହରୁ ସଂଗ୍ରହ ହେବ ରବିଧାନ : କରୋନା କଟକଣା ମାନି ମଣ୍ଡିରେ ଧାନ ଉଠାଇବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜିଲ୍ଲାପାଳମାନଙ୍କ ପାଇଁ ଜାରି ହେଲା ମାର୍ଗଦଶିକା

124

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭିତରେ ବି ମେ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହେବ । କରୋନା କଟକଣା ମାନି ଧଶନ ସଂଗ୍ରହ କରିବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଭିଡ଼ ଏଡାଇବା ପାଇଁ ଗୋଟିଏ କେନ୍ଦ୍ରରେ ଦିନକୁ ୩୦ରୁ ୩୫ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏଥିରୁ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ପାରିବ ନାହିଁ । ୧୦ରୁ ୧୨ ଜଣ ଚାଷୀଙ୍କୁ ଦିନର ନିର୍ଦ୍ଦିଷ୍ଟ ସମୟରେ ଧାନ ବିକ୍ରି ପାଇଁ ଆସିବା ନିମନ୍ତେ ସୂଚନା ଦିଆଯିବ । ଆବଶ୍ୟକ ପଡ଼ିଲେ ଭିଡ ଏଡ଼ାଇବା ପାଇଁ ଅଧିକ ସଂଖ୍ୟକ ଧାନ ସଂଗ୍ରହ କେନ୍ଦ୍ର ଖୋଲଯିବ । ଜିଲ୍ଲାପାଳମାନେ ଏଥି ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀ ଏବଂ ଶ୍ରମିକ ଓ ଅନ୍ୟ କର୍ମକର୍ତାମାନଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯାଇଛି ।