ଭବ୍ୟ ସମାରୋହରେ ଶିକ୍ଷକଙ୍କୁ ବିଦାୟ । ଶୋଭାଯାତ୍ରା, ବାଇକ ରାଲି କରି ବିଜୟ ସାରଙ୍କୁ ବିଦାୟ ଦେଲା ପୂରା ଗାଁ, ୩୪ ବର୍ଷ ଧରି ଗୋଟିଏ ସ୍କୁଲରେ କରିଥିଲେ ଶିକ୍ଷକତା ।

543

କନକ ବ୍ୟୁରୋ : ଗୋଟିଏ ସ୍କୁଲରେ ଚାକିରୀ ଆରମ୍ଭ ଆଉ ସେହି ସ୍କୁଲରେ ହିଁ ସରିଛି ଚାକିରୀ ଜୀବନ । ଦୀର୍ଘ ୩୪ ବର୍ଷ ଧରି ସ୍କୁଲକୁ ନିଜ ଘର ପରି ଗଢି ତୋଳିଥିବା ଶିକ୍ଷକ ହେଉଛନ୍ତି ପାରାଦୀପ ଏରସମା ବ୍ଲକ ଶାରଳା ବିଦ୍ୟାପୀଠର ଶିକ୍ଷକ ବିଜୟ କେତନ ପରିଡା । ଚାକିରୀ ଜୀବନ ଭିତରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢି ତୋଳଛନ୍ତି । ଆଉ ଯାହା ପାଇଁ ସ୍ଥାନୀୟ ଅଂଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚୟ ବନାଇ ପାରିଛନ୍ତି ବିଜୟ ସାର ।

ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା, ସ୍ଥାନୀୟ ଲୋକଙ୍କ ବାଇକ୍ ରାଲି, ଆଉ ଭବ୍ୟ ସମାରୋହ । ଏ ଦୃଶ୍ୟ କୌଣସି ରାଜନୈତିକ ସଭାର ନୁହେଁ । ବରଂ ଜଣେ ଶିକ୍ଷକଙ୍କୁ ବିଦାୟ ଦେବାର ଚିତ୍ର । ପାରାଦୀପ ଏରସମା ବ୍ଲକ ଶାରଳା ବିଦ୍ୟାପୀଠର ଶିକ୍ଷକ ବିଜୟ କେତନ ପରିଡା । ୩୪ ବର୍ଷ ଧରି ଏହି ସ୍କୁଲରେ ଶିକ୍ଷକତା କରିବା ପରେ ଶେଷ ହୋଇଛି ତାଙ୍କ ଚାକିରୀ ଜୀବନ । ଆଉ ଏହି ମହାନ ଗୁରୁଙ୍କୁ ବିଦାୟ ଦେବା ପାଇଁ ସ୍କୁଲ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆୟୋଜିତ କରାଯାଇଛି ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ।

ପୁରାତନ ଛାତ୍ରମାନେ ବାଜା ବଜାଇ ବାଇକ ର୍ୟାଲିରେ ତାଙ୍କୁ ଆଣିଥିଲେ ସଭାସ୍ଥଳକୁ । ସଭାରେ ଛାତ୍ରଛାତ୍ରୀମାନେ ତାଙ୍କୁ ପୂଜାର୍ଚ୍ଚନା କରିବା ସହ ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇ ବିଜୟ ସାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ସଭାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଛି । ଏହାସହ ବିଜୟ ସାରଙ୍କ ଉପଲକ୍ଷେ ଏକ ସ୍ୱତନ୍ତ୍ର ପୁସ୍ତିକା ମଧ୍ୟ ଉନ୍ମୋଚନ କରାଯାଇଛି ।

ଶାରଳା ବିଦ୍ୟାପୀଠରେ ଚାକିରୀ ଜୀବନ ଆରମ୍ଭ କରି ଏହି ସ୍କୁଲରୁ ହିଁ ସେ ଅବସର ନେଇଛନ୍ତି । ବିଜୟ ସାରଙ୍କ ପାଠ ପଢାଇବାର ଶୈଳୀ, ଛାତ୍ର ବତ୍ସଳ ସ୍ୱଭାବ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ କରାଇ ପାରିଛି । ନିଜ ଘର ଭଳି ଶାରଳା ବିଦ୍ୟାପୀଠର ସମସ୍ତ ଦାୟିତ୍ୱ ସୂଚାରୁରୂପେ ତୁଲାଇଥାନ୍ତି । ଆଉ ଏଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଗହଣରେ ଆଦୃତି ଲାଭ କରପାରିଛନ୍ତି ବିଜୟ ସାର । ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରତ୍ୟେକ ବର୍ଷ କୃତି ଛାତ୍ରଛାତ୍ରୀଙ୍କୁ ‘ବିଜୟଲକ୍ଷ୍ମୀ ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମରେ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ବିଜୟ ସାର ।

ବିଜୟ ସାରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ସମାଜରେ ଖୁବ କମ୍ ହିଁ ଦେଖିବାକୁ ମିଳିଥାନ୍ତି । ଯେଉଁମାନେ ନିଜ ଜୀବନକୁ ବିଦ୍ୟାଳୟ, ଛାତ୍ରଛାତ୍ରୀ ଏବଂ ଶିକ୍ଷକତାରେ ନିୟୋଜିତ କରିଥାନ୍ତି । ଏହିଭଳି ଜଣେ ଶିକ୍ଷକଙ୍କୁ ଆମର ଶତ ପ୍ରଣାମ ।