ସୈତାନର ଶେଷ ଠିକଣା କି ଫାଶୀ ? କେମିତି ଦିଆଯାଏ ଫାଶୀ ? କେତେ ଭୟଙ୍କର ଫାଶୀର ଫାଶ ? ପଢନ୍ତୁ ଫାଶୀ ପଛର ଅଜଣା ରହସ୍ୟ

566

କନକ ବ୍ୟୁରୋ: ଫାଶୀ, ଏହା ଏପରି ଏକ ଶବ୍ଦ, ଯାହାକୁ ଶୁଣିଲେ ଅପରାଧୀଙ୍କ ଛାତି ଥରିଉଠେ । ଏହା ଏପରି ଏକ ଦଣ୍ଡ, ଯେଉଁଠି ଜଣେ ଦୁର୍ଦ୍ଧର୍ଶ ଅପରାଧୀର ଜଘନ୍ୟ ଅପରାଧର ହିସାବ ହୁଏ । ସ୍ୱାଧୀନ ଭାରତରେ ଏପର୍ଯ୍ୟନ୍ତ ୫୭ ଜଣ ଅପରାଧୀ ଫାଶୀ ଖୁଂଟରେ ଝୁଲି ସାରିଲେଣି । ଏବଂ ଆଗକୁ ଆହୁରି ଅନେକ ଅପରାଧୀଙ୍କ ପାଳି ପଡିବାକୁ ଯାଉଛି । କିନ୍ତୁ କଣ ଆପଣଙ୍କୁ ଜଣାଅଛି ଯେ- ଫାଶୀ କିଭଳି ଦିଆଯାଏ ? କେଉଁଠି ତିଆରି ହୁଏ ଫାଶୀର ଦଉଡି ? ଏବଂ କଣ ଆପଣଙ୍କୁ ଜଣାଅଛି- ଫାଶୀ ଦେବା ପୂର୍ବରୁ ଜେଲରେ କ’ଣ ହୁଏ ? ଏକଥା ଆପଣଙ୍କୁ ଆଦୌ ଜଣାନଥିବ ଯେ- ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ କି ପ୍ରକାର ପ୍ରସ୍ତୁତି କରାଯାଏ ?

ଫାଶୀ ସଂପର୍କରେ ବିସ୍ତୃତ ବିବରଣୀ ଦେବା ପୂର୍ବରୁ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହୁଁଛୁ । ଭାରତୀୟ ଦଣ୍ଡ ବ୍ୟବସ୍ଥାରେ ସର୍ବୋଚ୍ଚ ଦଣ୍ଡବିଧାନ ହେଉଛି ଫାଶୀ ବା ମୃତ୍ୟୁ ଦଣ୍ଡ । ଏବଂ ୨୦୦୭ରେ ମିଳିତ ଜାତିସଂଘରେ ଯେତେବେଳେ ଫାଶୀକୁ ରୋକିବା ପାଇଁ ଏକ ସଂକଳ୍ପ ଆସିିଲା, ସେତେବେଳେ ଭାରତ ଏହା ବିରୋଧରେ ମତଦାନ କରିଥିଲା ।

ତେବେ ଜାଣନ୍ତୁ କେତେବେଳେ ଦିଆଯାଏ ଫାଶୀ । ବ୍ଲାକ ୱାରେଂଟରୁ ଆରମ୍ଭ ହୁଏ ଫାଶୀ ଦେବାର ପ୍ରକ୍ରିୟା । ଦେଶର ରାଷ୍ଟ୍ରପତି ଯେତେବେଳେ ଜଣେ ଅପରାଧୀର ରାଜକ୍ଷମା ଆବେଦନକୁ ଖାରଜ କରିଦିଅନ୍ତି, ଏହାପରେ ଜେଲ ପ୍ରଶାସନ କୋର୍ଟରୁ ବ୍ଲାକ ୱାରେଂଟ ଦାବି କରିଥାଏ । ଏହି ବ୍ଲାକ ୱାରେଂଟରେ ଫାଶୀର ଜାଗା, ଫାଶୀର ତାରିଖ , ଫାଶୀର ସମୟ ଲେଖା ଯାଇଥାଏ । ଆଉ ଏହାପରେ ଆରମ୍ଭ ହୋଇଯାଏ ଅପରାଧୀକୁ ଫାଶୀ ଦେବାର ପ୍ରକ୍ରିୟା ।

ଫାଶୀରେ ସବୁଠାରୁ ପ୍ରଥମ କାମ ହୋଇଥାଏ ଜହ୍ଲାଦକୁ ଖୋଜିବା ଓ ଫାଶୀର ଦଉଡିରେ ଫାଶ ତିଆରି କରିବା । ଫାଶୀ ତିଆରି ପାଇଁ ଏକ ସ୍ୱତନ୍ତ୍ର ଧରଣର ଦଉଡିକୁ ବ୍ୟବହାର କରାଯାଏ । ଯାହାକୁ କୁହାଯାଏ ମନିଲା ରୋପ । ସାରା ଭାରତରେ କେବଳ ବିହାରର ବକ୍ସର ଜେଲରେ ଏହି ଦଉଡି ପ୍ରସ୍ତୁତ କରାଯାଏ । ତେବେ ଅପରାଧୀକୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ଏହି ଫାଶୀ ଦଉଡି ଯେତେବେଳେ ଜେଲରେ ପହଂଚିଯାଏ, ସେତେବେଳେ ପ୍ରଥମ କାମ ହୋଇଥାଏ ଫାଶୀର ଟ୍ରାଏଲ ବା ଅଭ୍ୟାସ । ଏଥିପାଇଁ ଫାଶୀ ପାଇବାକୁ ଥିବା ଅପରାଧୀର ଓଜନ, ଲମ୍ବ, ଗଳାର ମାପ ନିଆଯାଇଥାଏ । ଆଉ ପୂର୍ବତନ ଜେଲରମାନଙ୍କ କହିବା ଅନୁସାରେ, ଅପରାଧୀ ଓଜନର ପ୍ରାୟ ଦେଢଗୁଣା ଓଜନଥିବା ଏକ ବାଲିବସ୍ତାକୁ ଫାଶୀ ଖୁଂଟରେ ଝୁଲାଇ କରାଯାଏ ଫାଶୀର ଅଭ୍ୟାସ ।

ଭାରତୀୟ ସଂସଦ ଉପରେ ଆକ୍ରମଣ ଘଟଣାରେ ଗିରଫ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଦିଆଯାଇଥିଲା ଫାଶୀ । ଆଉ ଅଫଜଲର ଫାଶୀ ଅଧ୍ୟାସ ବେଳେ ଦୁଇଥର ଫାଶୀ ଦଉଡି ଛିଡି ଯାଇଥିଲା ବୋଲି କୁହାଯାଏ । ତେଣୁ ଅପରାଧୀକୁ ଫାଶୀ ଦେବା ପୂର୍ବରୁ ଫାଶୀ ଦଉଡିର ମଜଭୂତିକୁ ସୁନିଶ୍ଚିତ କରାଯାଏ । । ଯେଉଁ ଜେଲରେ ଫାଶୀ ଦେବାର ବ୍ୟବସ୍ଥା ଥାଏ, ସେଠାରେ ଥାଏ ଫାଶୀ କୋଠି । ଯାହା ଜେଲ ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ପଟରେ ରହିଥାଏ । ଏଇଠି ଫାଶୀ ପାଇବାକୁ ଥିବା ଅପରାଧୀକୁ ରଖାଯାଏ । ତିହାର ଜେଲ ବିଷୟରେ କହିଲେ ଏହା ୧୯୪୫ରେ ନିର୍ମାଣ ଆରମ୍ଭ ହେଲା ଏବଂ ୧୩ ବର୍ଷ ପରେ ୧୯୫୮ରେ ଶେଷ ହେଲା । କିନ୍ତୁ ଫାଶୀ କୋଠିର ନକ୍ସା ଇଂରେଜ ଶାସନ ସମୟରୁ ହିଁ ପ୍ରସ୍ତୁତ କରାଯାଇଥିଲା । ଏବଂ ସେହି ଆଧାରରେ ତିହାର ଜେଲରେ ଫାଶୀ କୋଠି ତିଆରି କରାଯାଇଛି । ତିହାରର ୩ ନମ୍ବର ଜେଲରେ କଏଦୀଙ୍କ ବାରାକଠାରୁ କିଛି ଦୂରରେ ଶୂନଶାନ ଜାଗାରେ ରହିଛି ଏହି ଫାଶୀ କୋଠି । ଯେଉଁଠି ଅନେକ ଦୁର୍ଦ୍ଧର୍ଶ ଅପରାଧୀଙ୍କ ଅନ୍ତ ହୋଇଛି ।