କନକ ବ୍ୟୁରୋ : ବିହାରରେ ଏନଡିଏକୁ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ଏନଡିଏର ବିଧାୟକ ଦଳ ବୈଠକ ବସିବ ଓ ଏଥିରେ ବିଧାୟକ ଦଳ ନେତା ବଛାଯିବ । ପାଟନାରେ ହେବାକୁ ଥିବା ଏନଡିଏର ବିଧାୟକ ଦଳ ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Advertisment

ରାଜନାଥଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିବ । ଏଥର ବିଜେପି ଉପମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରାକୁ ସାମ୍ନାକୁ ଆଣିପାରେ ବୋଲି ଚର୍ଚ୍ଚା ଚାଲିଛି । ରାଜନାଥ ବିଜେପିର ଶକ୍ତଶାଳୀ ନେତା, ଏହାଛଡା ଜେଡିୟୁରେ ମଧ୍ୟ ରାଜନାଥଙ୍କ କାଟତି ରହିଛି । ତେଣୁ ସର୍ବ ସମ୍ମତିରେ ନିଷ୍ପତି ନେବା ପାଇଁ ବିଜେପି ରାଜନାଥଙ୍କୁ ବାଛିଛି । ବିହାରରେ ଏଥରର ଜନାଦେଶ ଏନଡିଏ ମେଂଟ ପାଇଁ ରାଜନୈତିକ ଜଟିଳତା ଆଣି ଦେଇଛି । ତେଣୁ ରାଜନାଥ ହେଉଛନ୍ତି ଏପରି ନେତା ଯିଏ ସର୍ବ ସମ୍ମତିରେ ସହଜରେ ନିଷ୍ପତି ଆଣିପାରିବେ ।
ରବିବାର ବିଧାୟକ ଦଳ ବୈଠକ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ ଏନଡିଏ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ଏନଡିଏକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ । ଏହାପରେ ତାରିଖ ଧାର୍ଯ୍ୟ କରାଯାଇ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ । ନଭେମ୍ବର ୧୬ ତାରିଖରେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।