ବଣଭୋଜି ପାଇଁ ନବରଙ୍ଗପୁର ସାଇଧାରା ଜଳ ପ୍ରପାତରେ ଜମୁଛି ଭିଡ । ପ୍ରାକୃତିକ ପରିବେଶର ପର୍ଯ୍ୟଟକଙ୍କୁ ମିଳୁଛି ମାନସିକ ଶାନ୍ତି, ହେଲେ ବ୍ୟତିବ୍ୟସ୍ତ କରୁଛି ସମସ୍ୟା ।

65

କନକ ବ୍ୟୁରୋ : ସାରା ଜୀବନ କାମ ଧନ୍ଦା, ଧାଁ ଦଉଡ । କର୍ମମୟ ଜୀବନରୁ ଚାପ ମୁକ୍ତ ହେବା ପାଇଁ ମଣିଷ କିଛି ସମୟର ବିରତି ଚାହେଁ । ସବୁ କାମ ଛାଡି ସମୟକୁ ଉପଭୋଗ କରିବା ପାଇଁ ପ୍ରକୃତି କୋଳକୁ ଫେରେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପରିବେଶରେ ନିଜକୁ ହଜେଇ ଦିଏ, କର୍ମମୟ ଜୀବନରେ ଥକି ପଡିଥିବା ମଣିଷ ଆଗକୁ ବଢିବା ପାଇଁ ଶକ୍ତ ସଂଚୟ କରେ । ନବରଙ୍ଗପରୁରରେ ରହିଛି ଏମିତି ଏକ ଜଳପ୍ରପାତ, ଯେଉଁଠି ଲୋକଙ୍କୁ ଆନନ୍ଦ ଦେଉଛି କୁଳୁକୁଳ ନାଦ କରି ଝରି ଆସୁଥିବା ଝରଣା ।

ନବରଙ୍ଗପୁର ଝରିଗାଁ ବ୍ଲକ ଅଂଚଳରେ ରହିଛି ସାଇଧାରା ଜଳ ପ୍ରପାତ । ଝରିଗାଁ ସଦର ମହୁକମା ଠାରୁ ପ୍ରାୟ ୫ କିଲୋମିଟର ଅଙ୍କବଙ୍କା ରାସ୍ତା ଦେଇ ଏଠାରେ ପହଂଚୁଛନ୍ତି ପର୍ଯ୍ୟଟକ । ସବୁଜ ଘଂଚ ଜଙ୍ଗଲ ପବର୍ତମାଳା ଭିତରେ ସୁଉଚ୍ଚ ଜଳପ୍ରପାତ । ଉଚ୍ଚ ପାହାଡର ବୁକୁ ଚିରି ବହି ଆସୁଛି ଝରଣା । ସେହି ଦୃଶ୍ୟକୁ ଯିଏ ଥରେ ଦେଖିଛି, ସେ ବାରମ୍ବାର ଏଠାକୁ ଆସିବା ପାଇଁ ମନ କରିଛି । ଜଳ ପ୍ରପାତରେ ଗାଧୋଇବା ସହ ଜଙ୍ଗଲ ଭିତରେ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ ।

ବର୍ଷର ୬ରୁ ୭ ମାସ ସାଇଧାରା ଜଳପ୍ରପାତରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ । ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସନ୍ତି ପର୍ଯ୍ୟଟକ । ହେଲେ ଏହି ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କୁ ଯେତିକି ମାନସିକ ଶାନ୍ତି, ତାଠାରୁ ଅଧିକ ବ୍ୟତିବ୍ୟସ୍ତ କରେ ଏଠାରେ ଥିବା ସମସ୍ୟା । ଅବିରତ ଝରଣା ବହୁଥିବା ସାଇଧାରା ଜଳ ପ୍ରପାତରେ ପିଇବା ପାଣି ମୁନ୍ଦେ ମିଳୁନଥିବା ବେଳେ ଆଲୋକିକରଣ ବ୍ୟବସ୍ଥା ନାହିଁ । ତେଣୁ ସଂଜ ନଇଁବା ଆଗରୁ ଜଳ ପ୍ରପାତ ପାଖରୁ ଫେରିଯିବାକୁ ହୁଏ ।

ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇନଥିବା ସାଇଧାରା ଜଳପ୍ରପାତ ଉପରେ ପ୍ରଶାସନର ନଜର ପଡିଲେ, ଏବଂ ଏହାର ବିକାଶ ହେଲେ, ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ସ୍ଥାନୀୟ ଲୋକେ କୁହନ୍ତି ।