କନକ ବ୍ୟୁରୋ: ମହଙ୍ଗା ପଡିପାରେ ଖେଳ ମଝିରେ ନମାଜ ପଢିବା । ଏବେ ଅଡୁଆରେ ଛନ୍ଦି ହୋଇପାରନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ । କାରଣ ଏନେଇ ଅଭିଯୋଗ ଏବେ ଆଇସିସି ପାଖରେ ପହଞ୍ଚିଛି । ଆଇସିସିରେ ରିଜୱାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ଜଣେ ଓକିଲ ବିନିତ ଜିନ୍ଦଲ । ସେ ଆଇସିସିକୁ ଏକ ଚିଠି ଲେଖି କହିଛନ୍ତି, ମହମ୍ମଦ ରିଜୱାନ ନେଦଲାଣ୍ଡ ବିରୋଧରେ ଫିଲ୍ଡ ମଝିରେ ନମାଜ ପଢିଥିଲେ, ଯାହା ମ୍ୟାଚର ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ଆଡଭୋକେଟ ଭିନିତ ଜିନ୍ଦଲ ଆଇସିସି ଚେୟାରମ୍ୟାନ ଗେର୍ଗ ବର୍କେଲଙ୍କୁ ଚିଠି ଲେଖି କହିଛନ୍ତି, ଏହା ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ବିରୋଧରେ ଅଭିଯୋଗ । ତାଙ୍କୁ ୬ ଅକ୍ଟୋବରରେ ନେଦରଲାଣ୍ଡ ବିରୋଧରେ ଖେଳ ମଝିରେ ନମାଜ ପଢୁଥିବାର ଦେଖିବାକୁ ମିଳିଥିଲା । ସେ ଜାଣିଶୁଣି ତାଙ୍କ ଧର୍ମର ପ୍ରଚାର ପ୍ରସାର କରୁଥିଲେ । ଯାହା କ୍ରିକେଟ ନିୟମର ବିରୋଧୀ ଅଟେ । ମ୍ୟାଚ ବ୍ରେକ ସମୟରେ ତାଙ୍କ ସାଥୀ ଖେଳାଳି ଡ୍ରିଙ୍କ୍ସ ପାଇଁ ଅପେକ୍ଷା କରିଥିବା ବେଳେ ସେ ନମାଜ ପାଠ କରୁଥିଲେ ।

କେବଳ ଏହି ଘଟଣା ନୁହେଁ ମହମ୍ମଦ ରିଜୱାନ ଏହା ପୂର୍ବରୁ ମଧ୍ୟ ବିଶ୍ୱକପରେ ବିବାଦ ଘେରକୁ ଆସିଥିଲେ । ଶ୍ରୀଲଙ୍କା ବିରୋଧରେ ଶତକ ହାସଲ ପରେ ସେ ଏହାକୁ ଗାଜାର ଲୋକଙ୍କୁ ସମର୍ପିତ କରିଥିଲେ । ଯାହା ସେ ସୋସିଆଲମିଡିଆରେ ପୋଷ୍ଟ କରିବା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏବେ ନମାଜ ପଢିବା ଘଟଣା ପାଇଁ ସେ ପୁଣି ଚର୍ଚ୍ଚା ଘେରକୁ ଆସିଛନ୍ତି । ଆଉ ତାଙ୍କ ବିରୋଧରେ ଅଭିଯୋଗ ଆଇସିସି ପାଖରେ ପହଞ୍ଚିଛି । ତେବେ ଦେଖିବା ବାକି ରହିଲା ଆଇସିସି ତାଙ୍କ ବିରାଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ।

ଚଳିତ ବିଶ୍ୱକପରେ ପାକିସ୍ତାନ ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ଲାଭ କରିଛି । ଗତ ମ୍ୟାଚରେ ପାକିସ୍ତାନ ଭାରତ ବିପକ୍ଷରେ ପରାଜତି ହୋଇଥିଲା । ସେହିପରି ମହମ୍ମଦ ରିଜୱାନ କିନ୍ତୁ ପାକିିସ୍ତାନ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ସେ ନେଦରଲାଣ୍ଡ ବିପକ୍ଷରେ ୬୮ ରନ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ୧୩୧ ରନ କରିଥିଲେ । ଆଉ ଭାରତ ବିପକ୍ଷରେ ୪୯ ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ।