ପ୍ରବାସୀଙ୍କୁ ପେଟ ଚିନ୍ତା । ମହାମାରୀ କବଳରୁ ଜୀବନ ସିନା ବଞ୍ଚିଗଲା ହେଲେ ଉଜୁଡିଗଲା ଜୀବିକା । କେମିତି ଚଳିବ ପରିବାର, କ’ଣ ଖାଇବେ ପିଲାଛୁଆ ?

502

କନକ ବ୍ୟୁରୋ : ପ୍ରବାସୀଙ୍କୁ ଘାରିଛି ପେଟ ଚିନ୍ତା । ମହାମାରୀ କବଳରୁ ଜୀବନ ତ ବଂଚି ଯାଇଛି । ହେଲେ କରୋନା କଟକଣା ଯୋଗୁଁ ଅନେକ ପ୍ରବାସୀ ନିଜ ଜୀବିକା ହରାଇଛନ୍ତି । ଏବେ ରୋଜଗାର ନଥିବା ବେଳେ କେମିତି ଚଳିବ ପରିବାର, କଣ ଖାଇବେ ପିଲାଛୁଆ, କେଉଁଠୁ ମିଳିବ କାମ, ଏମିତି ଅନେକ ଚିନ୍ତାରେ ଘାରି ହେଉଛନ୍ତି ପିପିଲି ଅଂଚଳର ପ୍ରବାସୀ ଶ୍ରମିକ ।

କରୋନା ଛଡ଼ାଇ ନେଲା ରୋଜଗାର । ଜୀବନ ବଂଚାଇ ଭିଟାମାଟିକୁ ଫେରିଲେ କିନ୍ତୁ ରୋଜଗାର ହରାଇଲେ ପ୍ରବାସୀ । ପିପିଲିର ରାଜେନ୍ଦ୍ର ପରିଡ଼ା, ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି କମ୍ପାନୀରେ ୧୦ ବର୍ଷ ହେବ କାମ କରି ପରିବାର ପୋଷୁଥିଲେ । ହେଲେ କରୋନା ପାଇଁ ଏବେ ସବୁ କିଛି ବଦଳି ଯାଇଛି । ହାତରେ କାମ ନାହିଁ କି ପାଖରେ ପାଖରେ ଟଙ୍କା ନାହିଁ ।

ସେହିପରି ଆଉ ଜଣେ ପ୍ରବାସୀ ଶ୍ରମିକ ହେଉଛନ୍ତି ଜିତେନ୍ଦ୍ର ସେଠୀ । ଘରେ ବୁଢ଼ା ବାପା, ମା, ସାନ ଭାଇ ସାନ ଭଉଣୀ । ଛତିଶଗଡ଼ ରାୟପୁରରେ ଜିଆର କମ୍ପାନୀରେ କାମ କରୁଥିଲେ । ଜିତେନ୍ଦ୍ରଙ୍କ ରୋଜଗାର ଉପରେ ପୁରା ପରିବାର ନିର୍ଭର କରୁଥିଲେ । ହେଲେ ଏହି ଅଜଣା ଶତ୍ରୁର ଆକ୍ରମଣରେ ସର୍ବହରା ହୋଇପଡ଼ିଛନ୍ତି ଜିତେନ୍ଦ୍ର ଓ ତାଙ୍କ ପରିବାର ।

ବିଜୟ କୁମାର ବରାଳ, ପରିବାର କହିଲେ ପାଂଚ ପ୍ରାଣୀ କୁଟୁମ୍ବ । ଏହି ମହାମାରୀ ସମୟରେ ସେ ବି ଘରେ ହାତ ବାନ୍ଧି ବସିଛନ୍ତି । ରାତି ପାହିଲେ ବିଜୟଙ୍କୁ ଘାରୁଛି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ିବାର ଚିନ୍ତା । କେବଳ ଏମାନେ ନୁହନ୍ତି ପୁରୀ ଜିଲ୍ଲା ପିପିଲି ବକ୍ଲରେ ଏମିତି ଅନେକ ଶ୍ରମିକ ରୋଜଗାର ହରାଇ ବେସାହାର ହୋଇ ପଡିଛନ୍ତି ।

କରୋନା ଉଜାଡ଼ି ଦେଇଛି ଜୀବନ ଜୀବିକା । ଭୂତାଣୁ ଭିଡ ଭିତରୁ ଜୀବନ ବଂଚାଇ ଘରକୁ ଫେରିଆସିଥିବା ଓଡିଆ ଶ୍ରମିକ ଏବେ କାମ ନପାଇ ଘରେ ବସିଛନ୍ତି । ଶ୍ରମିକଙ୍କୁ କାମ ମିଳୁନଥିବା କଥାକୁ ସରପଞ୍ଚ ସ୍ୱୀକାର କରୁଥିବା ବେଳେ ଖୁବଶୀଘ୍ର କର୍ମ ସଂସ୍ଥାନ ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଛନ୍ତି ।