କରୋନା କାଳରେ ଚାଲିଛି ୱାର୍କ ଫ୍ରମ ହୋମ ଓ ପାଠପଢା : ହେଲେ ସମସ୍ୟା ହେଉଛି ଇଂଟରନେଟ ସ୍ପିଡ; ମୋବାଇଲ ଡାଟା ସ୍ପିଡରେ ପାକିସ୍ତାନଠୁ ପଛରେ ଭାରତ

209

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ୱାର୍କ ଫ୍ରମ ହୋମ, ଅନଲାଇନ ପାଠ ପଢା ହେଉଛି । କିନ୍ତୁ ମୋବାଇଲ ଇଂଟରନେଟ ସ୍ପିଡ ସମସ୍ୟା ଦେଶର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ମୋବାଇଲ ଇଂଟରନେଟର ସ୍ଥିତି ଆହୁରି ଅସମ୍ଭାଳ ।

ଇଂଟରନେଟ ସ୍ପିଡ ସମସ୍ୟା ଯୋଗୁଁ ପିଲାଙ୍କ ପାଠ ପଢା ପ୍ରଭାବିତ ହେଉଛି ତା ନୁହେଁ, ଅନଲାଇନ ଉପରେ ନିର୍ଭରଶୀଳ ସମସ୍ତ କାମ ମଧ୍ୟ ପ୍ରଭାବିତ ହେଉଛି । ଖାଲି ଏତିକି ନୁହେଁ, ଡାଟା ସ୍ପିଡରେ ପଡୋଶୀ ପାକିସ୍ତାନ ଠାରୁ ମଧ୍ୟ ପଛୁଆ ରହିଛି ଭାରତ । ଭାରତରେ ମାତ୍ର ୧୨.୪୦ ଏମବିପିଏସ ଡାଉନଲୋଡିଂ ସ୍ପିଡର ମୋବାଇଲ ଡାଟା ମିଳୁଛି । ସେପଟେ ପାକିସ୍ତାନରେ ଡାଉନଲୋଡ ସ୍ପିଡ ରହିଛି ୧୭.୭୩ ଏମବିପିଏସ । ବିଶ୍ୱର ୨୯ଟି ଦେଶରେ ଭାରତ ଠାରୁ ଅଧିକ ସ୍ପିଡର ଇଂଟରନେଟ ମିଳୁଛି ।

କିଛି ଦିନ ତଳେ କରୋନା ସଂକ୍ରମଣ କମିବା ପରେ ସ୍କୁଲ କଲେଜ ଖୋଲିବା ଆରମ୍ଭ କରିଥିଲା, ହେଲେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହେବାରେ ଲାଗିଛି । ଆଉ ଅନଲାଇନ ପାଠପଢା ଆରମ୍ଭ ହୋଇଛି । ହେଲେ ଅନଲାଇନ ପାଠ ପଢା ଓ ଘରେ ରହି ଅଫିସ କାମ କରିବା ପାଇଁ ସମସ୍ତେ ଏକ ନିର୍ଦ୍ଧିଷ୍ଟ ଇଂଟରନେଟ ସ୍ପିଡ ଆବଶ୍ୟକତା ରହିଛି । ଏପରି ସ୍ଥିତିରେ ଇଂଟନରେଟ ସ୍ପିଡ ଧିମା ରହିବା ଭାରତୀୟଙ୍କୁ ଅସୁବିଧାରେ ପକାଇଛି ।