ବାନ୍ଧବୀଙ୍କ ପାଇଁ ବଢ଼ିଲା ଅଡୁଆ: ଯୁବତୀଙ୍କ ଘରେ ପହଞ୍ଚିଲା ପୁଲିସ, ଗୋଡେଇ ତୋଡେଇ କଲା ପ୍ରଶ୍ନ

339

କନକ ବ୍ୟୁରୋ: ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ଘଟଣାର କେନ୍ଦ୍ରରେ ଥିବା ବାନ୍ଧବୀଙ୍କ ପାଇଁ ବଢ଼ୁଆ ବଢିବାରେ ଲାଗିଛି । ଅକ୍ଷୟଙ୍କ କଥିତ ପ୍ରେମିକା ବା’ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୁଲିସ୍ । ୧୬୧ରେ ବୟାନ୍ ରେକର୍ଡ ବେଳେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପୁଲିସ୍ । ସୂଚନା ଅନୁସାରେ ପୁଲିସ ତାଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଛି ।

-ଆଜେକ୍ସଙ୍କ ସହ ତୁମର କେଉଁ ଭଳି ସମ୍ପର୍କ ଥିଲା?
-ଅନ୍ତିମ ସମୟରେ କାହିଁକି ଆଜେକ୍ସଙ୍କୁ କଲ୍ କରିଥିଲ?
-ଆତ୍ମହତ୍ୟା ପୂର୍ବରୁ କାହିଁକି ଭିଡିଓ କଲ୍ କରିଥିଲ?
-ଆଜେକ୍ସକୁ ଚାପୁଡ଼ା ମାରିଥିଲ କି? ଯଦି ହଁ କାହିଁକି?
-କୌଣସି ଭିଡିଓକୁ ନେଇ ବ୍ଲାକ୍୍ମେଲ କରୁଥିଲ କି?
-ପୁରୁଷ ବନ୍ଧୁ ରଶ୍ମୀଙ୍କ ସହ ତୁମର ସମ୍ପର୍କ କ’ଣ?
-ଅକ୍ଷୟଙ୍କ ସହ ଟଙ୍କା ପଇସାର କାରବାର ଥିଲା କି?

ସୂଚନା ଅନୁସାରେ ଏଭଳି କିଛି ପ୍ରଶ୍ନବାଣରେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ଖାଇଲା କରିଥିଲା ପୁଲିସ୍ । ଏହି ମାମଲାରେ ପୁଲିସ୍, ଆଇପିସିର ଧାରା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଏବଂ ଧାରା ୩୪ ଅର୍ଥାତ୍ ଏକାଧିକ ଲୋକଙ୍କ ସଂପୃକ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆଜେକ୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍୍ ଏହି ଧାରା ଲଗାଇଥିବାବେଳେ ଆଜେକ୍ସଙ୍କ ବାନ୍ଧବୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ଏପଟେ ଆଜି ଆଜେକ୍ସଙ୍କ ବାପା ଏବଂ ତାଙ୍କ ସାଙ୍ଗ ରାହୁଲ ଖାରବେଳନଗର ଥାନାରେ ପହଂଚିଥିଲେ । ପୁଲିସ ଆବଶ୍ୟକ କରୁଥିବା କିଛି ତଥ୍ୟ ଦାଖଲ କରିବା ସହ ଏଫଆଇଆର୍୍ କପି ମଧ୍ୟ ନେଇଥିଲେ । ଏହି ଘଟଣାରେ ସଂପୃକ୍ତ ଯୁବତୀଙ୍କ ଭୂମିକାକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିବା ବେଳେ ଘଟଣାର ସଠିକ୍ ତଦନ୍ତ ଦାବି କରିଥିଲେ ।

ଏସବୁ ଭିତରେ ଡିଜେ ଆଜେକ୍ସଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କୁହାଯାଇଛି । ଅକ୍ଷୟଙ୍କ ବେକରେ ରହିଛି ଦଉଡ଼ି ଦାଗ । ଏପଟେ ପୋଲିସକୁ ହସ୍ତଗତ ହୋଇଛି ସିଡିଆର ବା କଲ ଡିଟେଲ୍ ରିପୋର୍ଟ ।