କର୍ମଚାରୀ ଅଭାବରୁ ଅଚଳ ହୋଇଯିବ କି ଓଡିଶାର ଏକମାତ୍ର ବ୍ରେଲ ପ୍ରେସ । ମାତ୍ର ୫ ଜଣ କର୍ମଚାରୀରେ ଚାଲିଛି ବ୍ରହ୍ମପୁରରେ ଥିବା ବ୍ରେଲ୍ ପ୍ରେସ୍ ।

101

କନକ ବ୍ୟୁରୋ : ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାରଙ୍କ ତରଫରୁ ବ୍ରେଲବହି ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ବ୍ରେଲ ବହି ଛାପିବା ପାଇଁ ବ୍ରହ୍ମପୁରରେ ରହିଛି ରେଡ଼କ୍ରସ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣାଳୟ । ଯାହାକି ଓଡ଼ିଶାର ଏକମାତ୍ର ବ୍ରେଲ ପ୍ରେସ । ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ୧୦ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲ ପୁସ୍ତକ ଛପା ଯାଉଥିବା ବେଳେ ଚଳିତ ବର୍ଷଠାରୁ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ବ୍ରେଲ ବହି ଛପାଯାଉଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏସମସ୍ତ କାର୍ଯ୍ୟ କରିବା ପାଇଁ ଉପଯୁକ୍ତ କର୍ମଚାରୀ ନାହାନ୍ତି । ଫଳରେ ପିଲାଙ୍କ ବ୍ରେଲ ପୁସ୍ତକ ଛପାରେ ବାଧା ସୃଷ୍ଟି ହେଉଛି ।

ବ୍ରହ୍ମପୁରରେ ରହିଛି ଓଡିଶାର ଏକମାତ୍ର ବ୍ରେଲ୍ ପ୍ରେସ । ଏଠାରୁ ଓଡ଼ିଶାର ସମସ୍ତ ଦୃଷ୍ଟିହୀନ ବିଦ୍ୟାଳୟକୁ ଏଠାରୁ ବ୍ରେଲ ବହି ଯୋଗାଇ ଦିଆଯାଉଛି । ଓଡ଼ିଶାର ୫୦ରୁ ଅଧିକ ଦୃଷ୍ଟିହୀନ ବିଦ୍ୟାଳୟକୁ ଏହି ବ୍ରେଲ ପ୍ରେସରୁ ପୁସ୍ତକ ଯୋଗାଇ ଦିଆଯାଉଛି । ପ୍ରତିବର୍ଷ ପ୍ରଥମରୁ ଦଶମ ଶ୍ରେଣୀ ପାଇଁ ପ୍ରାୟ ୩ ହଜାର ବହି ଛପା ଯାଉଛି । ଯୁକ୍ତ ଦୁଇ କଳା ବିଭାଗ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ୮ଶହ ବହି ପ୍ରସ୍ତୁତ କରାଯାଉଛି । ପ୍ରଥମରୁ ଅଷ୍ଟମ ଯାଏଁ ବ୍ରେଲ ପୁସ୍ତକ ମାନୁଆଲ ପ୍ରିଂଟରେ ଛପା ଯାଉଥିବା ବେଳେ ନବମ ଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟରାଇଜଡ଼ ବ୍ରେଲ ପ୍ରିଂଟରେ ପୁସ୍ତକ ଛପା ଯାଉଛି । କେବଳ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବ୍ରେଲ ପୁସ୍ତକ ନୁହେଁ ଏଠାରେ କ୍ୟାଲେଣ୍ଡର, ମାଗାଜିନ, ଲୋ-ବୁକ ମଧ୍ୟ ଛପାଯାଉଛି । କିନ୍ତୁ କର୍ମଚାରୀ ଅଭାବରୁ ଉପଯୁକ୍ତ ପରିମାଣରେ ବ୍ରେଲ ବହି ମୁଦ୍ରଣ ହୋଇ ପାରୁନାହିଁ କି ଦିବ୍ୟାଙ୍ଗ ବିଦ୍ୟାଳୟ ଗୁଡିକରେ ପହଂଚି ପାରୁନାହିଁ ।

୫ ଜଣ କର୍ମଚାରୀରେ ଚାଲିଛି ବ୍ରହ୍ମପୁରରେ ଥିବା ବ୍ରେଲ ମୁଦ୍ରଣାଳୟ । ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ୩୪ ବର୍ଷ ଧରି ୨ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୩ ଜଣ ୨ ବର୍ଷ ହେବ ଖୁବ୍ କମ ଦରରେ ନିଯୁକ୍ତି ପାଇଛନ୍ତି । କର୍ମଚାରୀ ନିଯୁକ୍ତି କରିବା ନେଇ ଅନେକ ଥର ଦାବି ହୋଇଥିଲେ ବି ସରକାରଙ୍କ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ଥର ସରକାରଙ୍କୁ ଚିଠି ଲେଖାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ସୃଷ୍ଟି କରାଯାଇ ନାହିଁ ।