ଘର ଅନୁଗୁଳ ପାଲଲହଡାରେ, ସ୍କୁଲ କେନ୍ଦୁଝର ତେଲକୋଇରେ । ପ୍ରତିଦିନ ସ୍କୁଲ ଯିବା ବାଟରେ ବାଧକ ସାଜିଛି ନଦୀ ।

130

କନକ ବ୍ୟୁରୋ : ଘର ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକରେ, ସ୍କୁଲ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ । ଜଙ୍ଗଲ ରାସ୍ତା ଦେଇ ନଦୀନାଳ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଏତିକିରେ ସମସ୍ୟା ସରିନି । ୩ ବର୍ଷ  ସମାକୋଇ ନଦୀରେ ଡଙ୍ଗା ଚଳାଚଳ ବନ୍ଦ ଥିବାରୁ ବର୍ଷା ଦିନେ ପାଠ ପଢିବାକୁ ସ୍କୁଲ ଯିବାବେ ନାନା ଅସୁବିଧାର ସାମ୍ନା କରୁଛନ୍ତି ୧୫ ଜଣ ଛାତ୍ରଛାତ୍ରୀ ।

ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ସରକାର ସ୍ମାର୍ଟ କ୍ଲାସ ଓ ସ୍ମାର୍ଟ ସ୍କୁଲର ପରିକଳ୍ପନା କରୁଛନ୍ତି । କିନ୍ତୁ ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନଦୀ ପାରି ହେଉଛନ୍ତି । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ୫ଟି ପଂଚାୟତର ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପାଇଁ କେନ୍ଦୁଝର ଜିଲ୍ଲା ତେଲକୋଇ ସରେଇ ସିକେଶ୍ୱର ହାଇସ୍କୁଲକୁ ଯାଉଛନ୍ତି । କାରଣ ନିଜ ଅଂଚଳରେ ହାଇସ୍କୁଲ ନାହିଁ । ଆଉ ଏମାନଙ୍କ ଶିକ୍ଷା ରାସ୍ତାରେ ବାଧକ ସାଜିଛି ସମାକୋଇ ନଦୀ ।

ପାଲଲହଡା ବ୍ଲକର ଝାରବେଡା, ଆଲୁରୀ, ମୁଣ୍ଡୁରିବେଡା, ଖମାର ଓ ବଡସଡା ଅଂଚଳର ଛାତ୍ରଛାତ୍ରୀ  ସମାକୋଇ ନଦୀ ଘାଟ ପାର ହୋଇ ତେଲକୋଇର ସିକେଶ୍ୱର ହାଇସ୍କୁଲକୁ ଯାଇଥାନ୍ତି । ଏକ ମାଛଧରା ଡଙ୍ଗାରେ ୩ ବର୍ଷ ହେଲା ପିଲାମାନେ ପାର ହେଉଥିଲେ । ହେଲେ ଏବେ ଆଉ ସେ ଟଙ୍କା ନାହିଁ । ତେଣୁ ପିଲାମାନେ ପାଣିରେ ପଶି ନଦୀ ପାର ହୋଇ ଜଙ୍ଗଲ ରାସ୍ତା ଦେଇ ଘର ଠାରୁ ୧୫ କିଲୋମିଟର ଦୂରରେ ପାଠ ପଢିବାକୁ ଯାଉଛନ୍ତି ।

ପାଲଲହଡା ଉପଖଣ୍ଡର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ବେହେରା କହିଛନ୍ତି, ସାପଝରାରୁ ସରେଇକୁ ଯୋଗାଯୋଗ ପାଇଁ ସମାକୋଇ ନଦୀରେ ଏକ ପୋଲ ନିର୍ମାଣ ପାଇଁ ସର୍ଭେ କାମ ଚାଲିଛି । ପୋଲ ହେବା ପରେ ଛାତ୍ର ଛାତ୍ରୀଙ୍କ ଦୁଃଖ ଯିବ । ଏହାସହ ସରେଇ ହାଇସ୍କୁଲରେ ଏକ ହଷ୍ଟେଲ ନିର୍ମାଣ କରିବାକୁ ଦାବି ହୋଇଛି ।