ମିଳୁନି ନେଟୱାର୍କ…ପାଠପଢିବା ପାଇଁ ଜଙ୍ଗଲ ଭିତରେ ପିଲା ଯାଉଛନ୍ତି ୧୫ କିଲୋମିଟର : ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲା ଉପାନ୍ତ ଅଂଚଳରୁ ଶିକ୍ଷାର ଦୟନୀୟ ଚିତ୍ର

228

କନକ ବ୍ୟୁରୋ: ମିଳୁନି ନେଟୱାର୍କ । ପାଠ ପଢ଼ିବା ପାଇଁ ନେଟୱାର୍କ ଖୋଜି ଖୋଜି ଜଙ୍ଗଲ ଭିତରେ ୧୫ କିମି ଯାତ୍ରା । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ଉପାନ୍ତ ଓ ମଧ୍ୟବର୍ତି ପାହାଡିଆ ଅଂଚଳରେ । ଏହି ଅଂଚଳରେ ରହିଛି କନ୍ଧମାଳ ରାଇକିଆ ବ୍ଲକର ଇନ୍ଦ୍ରଗଡ ପଂଚାୟତ,ଗଞ୍ଜାମର ବାଇବାଲି ପଂଚାୟତ । କରୋନା ଯୋଗୁଁ ସ୍କୁଲ ଖୋଲି ନଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ାଯିବା ସହ ଚକଲେଟ୍ ଆପ୍ ମାଧ୍ୟମରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ନେବା ପାଇଁ କୁହାଯାଇଛି । ହେଲେ ଗାଁରେ ନେଟୱାର୍କ ଆସୁନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ଶିକ୍ଷକଙ୍କ ପ୍ରଶିକ୍ଷଣ ମଧ୍ୟ ପ୍ରଭାବିତ ହୋଇଛି ।

ସମସ୍ୟାର ସମାଧାନ ପାଇଁ କିଛି ଶିକ୍ଷକ ଏକାଠି ହୋଇ ପ୍ରଥମେ ନେଟୱାର୍କ ଖୋଜିଥିଲେ । ଆଉ ତା ପରେ ଗାଁଠାରୁ ପ୍ରାୟ ୧୫ କିମି ଦୂରରେ ଜଙ୍ଗଲ ଭିତରେ ଏକ ନେଟୱାର୍କ ଆସିଥିଲା । ସେଠାକୁ ଯାଇ ଶିକ୍ଷକମାନେ ଚକଲେଟ୍ ଆପ୍ ମାଧ୍ୟମରେ ଟ୍ରେନିଂ ନେଇଥିଲେ । ଏହି ଖବର ଗାଁରେ ପହଁଚିବା ପରେ ଦୁଇ ପଂଚାୟତର କିଛି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଯାଇ ଅନଲାଇନ କ୍ଲାସ କରିଥିଲେ । ତେବେ ଯଦି ବର୍ଷା ହୁଏ ତେବେ ସେଠାରେ ମଧ୍ୟ ନେଟୱାର୍କ କଟିଯାଏ ବୋଲି କହିଛନ୍ତି ଛାତଛାତ୍ରୀ । ଏଥିସହ ସମସ୍ତଙ୍କ ପାଖରେ ମୋବାଇଲ୍ ନଥିବାରୁ ଗୋଟିଏ ଗୋଟିଏ ମୋବାଇଲରେ ଅନେକ ଛାତ୍ର ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପିଲାମାନେ କେମିତି ପାଠପଢ଼ିବେ ଚିନ୍ତାରେ ପଡିଛନ୍ତି ।