ଜଗତସିଂହପୁରରେ ଅଭାବନୀୟ ଘଟଣା । ୩୬ କୋଟିର କ୍ଷୟକ୍ଷତି ନେଇ ବିଡିଓ ଦେଲେ ରିପୋର୍ଟ, ଜିଲ୍ଲାପାଳଙ୍କ ତାଗିଦ ପରେ ପୁଣି ବଦଳିଗଲା ରିପୋର୍ଟ । ସଂଶୋଧିତ ରିପୋର୍ଟରେ ଅଛି ଶୂନ୍ୟ କ୍ଷୟକ୍ଷତି ।

502

କନକ ବ୍ୟୁରୋ: ବାତ୍ୟା ସରିଯିବା ପରେ କ୍ଷୟକ୍ଷତିର କିଭଳି ସରକାରୀ ରିପୋର୍ଟ ତିଆରି କରାଯାଏ ଆଉ ଏହି ରିପୋର୍ଟରେ କେତେ ସତ ଆଉ କେତେ ମିଛ ଥାଏ, ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଜଗତସିଂହପୁର ଜିଲ୍ଲାର ଏହି ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିଦେବ । ୨୬ ତାରିଖରେ ବାତ୍ୟା ହେଲା ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ସେହିଦିନ ହିଁ ବିଡିଓମାନେ ରିପୋର୍ଟ ପ୍ରସ୍ତୁତ କରିଦେଲେ । ବାଲିକୁଦା, ବିରିଡି, ଏରସମା , ତିର୍ତୋଲ ସହ ୮ଟି ବ୍ଲକର ବିଡିଓମାନେ ସେମାନଙ୍କ ରିପୋର୍ଟ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଦେଇଦେଲେ । ଏଥିରେ କୁହାଗଲା ୩୬ କୋଟି ୨୮ ଲକ୍ଷ ଟଙ୍କାର ବାତ୍ୟା ପାଇଁ କ୍ଷୟକ୍ଷତି ହୋଇଛି ।

୨୭ ମେ ୨୦୨୧ । ବାତ୍ୟାର ଠିକ ପରଦିନ ରିପୋର୍ଟ ଜିଲ୍ଲାପାଳଙ୍କ ଟେବୁଲକୁ ଆସିଗଲା ଏହି ରିପୋର୍ଟ ଦେଖି କୁଆଡେ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବିଗିଡିଯାଇଥିଲେ ଏବଂ କ୍ଷୟକ୍ଷତିର ହିସାବର ତର୍ଜମା କରିବା ପାଇଁ ପୁଣି ନିର୍ଦ୍ଦେଶ ଦେଇଥିଲେ । ସମ୍ବାଦ ପ୍ରତିନିଧିଙ୍କୁ କହିଥିଲେ, ଜିଲ୍ଲାରେ ବାତ୍ୟାାର କୌଣସି ପ୍ରକାର ବିଶେଷ ପ୍ରଭାବ ପଡିନାହିଁ । ପାରାଦ୍ୱୀପ, କୁଜଙ୍ଗ, ବାଲିକୁଦା ଓ ଏରସମା ଗସ୍ତ କରି ସେ ନିଜେ ଏହି ଅଂଚଳର ତଦାରଖ କରିଥିଲେ । ଗତବର୍ଷ ଅମ୍ଫାନରେ କିଛି ରାସ୍ତା ଓ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଥିଲା । ମାତ୍ର ‘ୟାସ’ ଜିଲ୍ଲାରେ କୌଣସି କ୍ଷୟକ୍ଷତି କରିନାହିଁ । ସରକାରଙ୍କ ଟଙ୍କା ଆତ୍ମସାତ କରିବାର ଅଧିକାର କାହାର ବି ନାହିଁ ।

ତା ପରେ ଜଗତସିଂହପୁର ଜିଲ୍ଲାପାଳ ସରକାରଙ୍କୁ ଏହି ରିପୋର୍ଟ ଦେଲେ । ଏଥିରେ ଦର୍ଶାଗଲା ଜିଲ୍ଲାରେ କୌଣସି କ୍ଷତି ହୋଇନାହିଁ । ଯେଉଁ ପ୍ରୋଜେକ୍ଟ ଡାଇରେକ୍ଟର ୩୬ କୋଟି ୨୮ ଲକ୍ଷର ହିସାବ ଦେଇଥିଲେ ସେହି ପ୍ରୋଜେକ୍ଟ ଡାଇରେକ୍ଟର ପୁଣି ଆଦୌ କ୍ଷୟକ୍ଷତି ହୋଇନାହିଁ ବୋଲି ରିପୋର୍ଟ ଦେଲେ ।

ଏହି ଘଟଣା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି
୩୬ କୋଟି ୨୮ ଲକ୍ଷର କ୍ଷୟକ୍ଷତି ରିପୋର୍ଟ କେମିତି ପରବର୍ତ୍ତୀ ସମୟରେ ଶୂନ ପାଲଟିଗଲା?
-ବିଡିଓମାନେ କେଉଁ ଆଧାରରେ ଏତେ ମିଛ ରିପୋର୍ଟ ଦେଇଥିଲେ?
-ମିଛ ରିପୋର୍ଟ ଦେଇଥିବା ବିଡିଓଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ?
-ଆଦୌ କ୍ଷତି ହୋଇନାହିଁ ବୋଲି ଜିଲ୍ଲାପାଳ ଗୋଟିଏ ଦିନରେ କେମିତି ଜାଣିଲେ?

ସେପଟେ ଆମେ ବିରିଡି ଓ ଏରସମା ବିଡିଓଙ୍କୁ ଫୋନରେ ଯୋଗାଯୋଗ କରିଥିଲୁ । ସେମାନେ କହିଥିଲେ, ସେମାନେ କିଛି ରିପୋର୍ଟ ଦେଇନାହାନ୍ତି । ଫଳରେ ପୁରା ଘଟଣା ଏବେ ରହସ୍ୟମୟ ହୋଇପଡିଛି ।