ଲଗାଣ ବର୍ଷାରେ ଫୁଲିଲା ଜଳକା । ମଥାନୀଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ

202

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିପଦ ସଙ୍କେତ ଟପିଛି ଜଳକା । ମଥାନୀଠାରେ ଜଳସ୍ତର ବିପଦ ସଙ୍କେତ ପାର କରିଛି । ଏଠାରେ ବିପଦ ସଙ୍କେତ ୫.୫୦ ଥିବା ବେଳେ ଏବେ ଜଳସ୍ତର ରହିଛି ୫.୫୫ ମିଟର । ୭ଟି ନଦୀର ୧୨ଟି ସ୍ଥାନରେ ଜଳସ୍ତର ବଢିବାରେ ଲାଗିଛି । ସେହିଭଳି ଲଗାଣ ବର୍ଷାରେ ବିଭିନ୍ନ ନଦୀ ଫୁଲିଛି, କିନ୍ତୁ କୌଣସି ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରଭାହିତ ହୋଇନାହିଁ ।

ନରାଜ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାରେ ବିପଦସଂକେତ ତଳେ ଜଳସ୍ତର ରହିଥିବା ବେଳେ ଜଳକାରେ ବିପଦସଂକେତ ପାଖାପାଖି ଜଳସ୍ତର ରହିଛି । ବୁଢାବଳଙ୍ଗ, ବଂଶଧାରା ଓ ଋଷିକୁଲ୍ୟାରେ ବିପଦସଂକେତ ତଳେ ଅଛି ଜଳସ୍ତର । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନାଲକୁ ଜଳଯୋଗାଣ କମାଯାଇଛି । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଅଫିସର ସଜାଗ ରହିଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ ୮ଟି ବୃହତ୍ତ ଜଳଭଣ୍ଡାର ରହିଛି । ଯେଉଁଥିରୁ ମାତ୍ର ୨ଟି ଜଳଭଣ୍ଡାରରେ ଜଳସ୍ତର ୫୦ ପ୍ରତିଶତରୁ ଉପରେ ରହିଛି । ରେଙ୍ଗାଲିରେ ୮୩% ଓ ହୀରାକୁଦରେ ୭୮% ପ୍ରତିଶତ ଜଳ ରହିଛି ।

ଅନ୍ୟ ଜଳ ଭଣ୍ଡାରରେ ୫୦%ରୁ କମ ଜଳସ୍ତର ଅଛି । ସେହିଭଳି ରାଜ୍ୟରେ ଥିବା ୪୪ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୧୨ଟି ଜଳଭଣ୍ଡାରରେ ଗେଟ୍ ନାହିଁ । ତେଣୁ ଏହିସବୁ ଜଳଭଣ୍ଡାରରେ ଅଧିକ ପାଣି ହେଲେ ଏହା ଆପଣାଛାଏଁ ବହିଯାଏ । ସେହିଭଳି ୧୪ଟି ଜଳଭଣ୍ଡାରରେ ୫୦ ପ୍ରତିଶତରୁ ଅଧିକ ଜଳ ରହିଥିବା ବେଳେ ଏଥିରୁ ୬ରୁ ଅଧିକ ଜଳଭଣ୍ଡାରରୁ ୭୫ ପ୍ରତିଶତରୁ ଅଧିକ ଜଳସ୍ତର ରହିଛି । ଅନ୍ୟ ୩୦ଟି ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ ଜଳସ୍ତର ରହିଛି । କିନ୍ତୁ ଏଯାଏଁ କୌଣସି ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ଧୀରେନ କୁମାର ସାମଲ ।