କନକ ବ୍ୟୁରୋ : ସରିଲା ଆଇପିଏଲ, ଚାମ୍ପିୟନ ହେଲା ଚେନ୍ନାଇ । ଆଇପିଏଲର ୧୪ତମ ସଂସ୍କରଣର ବିଜେତା ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ଏହି ବିଜୟ ସହ ୪ଥର ଆଇପିଏଲ ଟ୍ରଫି ନିଜ ନାଁରେ କରିବାରେ ସକ୍ଷମ ହୋଇଛି । ହାଇସ୍କୋରିଂ ମ୍ୟାଚରେ କୋଲକାତାକୁ ୨୭ ରନରେ ମାତ୍ ଦେଇ ଚେନ୍ନାଇ ଚମକିଛି । ଦୁବାଇ ମାଟିରେ ଦମ ଦେଖାଇଛି ଧୋନୀ ବାହିନୀ । ଏହାପୂର୍ବରୁ ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ମଧ୍ୟ ଟାଇଟଲ ହାତେଇ ସାରିଛି । ଆଉ ୨୦୨୧ରେ ଚାମ୍ପିୟନ ହେବା ସହ ଚେନ୍ନାଇ ଉପରେ ଟଙ୍କା ବର୍ଷା ହୋଇଛି । ଫାଇନାଲରେ ମହାବିଜୟ ହାସଲ କରିଥିବା ଚେନ୍ନାଇକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ ହୋଇଥିବା କୋଲକାତା ନାଇଟ ରାଇଡର୍ସକୁ ୧୨.୫ କୋଟି ଟଙ୍କା ମିଳିଛି । ବିଶ୍ୱର ସବୁଠୁ ଦାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଧିକାଂଶ ଖେଳାଳୀଙ୍କ ଉପରେ ଟଙ୍କାର ବର୍ଷା ହୋଇଛି ।
ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଚେନ୍ନାଇର ଋତୁରାଜ ଗାଏକ୍ୱାଡ ୬୩୫ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଥିବା ବେଳେ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ଇମରଜିଙ୍ଗ୍ ପ୍ଲେୟାର ଭାବେ ମଧ୍ୟ ଋତୁରାଜଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ମାତ୍ର ୨ ରନ୍ ବ୍ୟବଧାନରେ ଋତୁରାଜ ଆଇପିଏଲ ୨୦୨୧ ସର୍ବାଧିକ ରନ୍ ସହ ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି । ଚେନ୍ନାଇ ଫାପ୍ ଡୁ ପ୍ଲେସିସ ୬୩୩ ରନ୍ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଚଳିତ ସିଜିନରେ ଋତୁରାଜଙ୍କ ଦମଦାର ଇନିଂସ ବଳରେ ଚେନ୍ନାଇ ଆଇପିଏଲର ଫାଇନାଲ ଖେଳିବାକୁ ସକ୍ଷମ ହୋଇଥିଲା ।
2⃣0⃣1⃣0⃣ 🏆
2⃣0⃣1⃣1⃣ 🏆
2⃣0⃣1⃣8⃣ 🏆
& NOW 2⃣0⃣2⃣1⃣ 🏆Heartiest congratulations, @ChennaiIPL! 👏 💛#VIVOIPL | #Final | #CSKvKKRpic.twitter.com/23LqFdSzWH
— IndianPremierLeague (@IPL) October 15, 2021
ସେହିଭଳି ଚଳିତ ଆଇପିଏଲରେ ସର୍ବାଧିକ ୱିକେଟ ହାସଲ କରି ପର୍ପଲ କ୍ୟାପ୍ ହାତେଇଥିବା ବାଙ୍ଗାଲୋରର ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସୁପର ଷ୍ଟ୍ରାଇକର ପାଇଁ ସିମରନ ହେଟମାୟରଙ୍କୁ ୧୦ ଲକ୍ଷ, ଆକର୍ଷଣୀୟ କ୍ୟାଚ୍ ପାଇଁ ରବି ବିଷ୍ଣୋୟୀଙ୍କୁ ୧୦ ଲକ୍ଷ, ଗେମ ଚେଞ୍ଜର ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ ୧୦ ଲକ୍ଷ, ସର୍ବାଧିକ ଛକା ପାଇଁ କେଏଲ ରାହୁଲଙ୍କୁ ୧୦ ଲକ୍ଷ, ପାୱାର ପ୍ଲେରେ ଭଲ ପ୍ରଦର୍ଶନ କରିଥିବା ଭେଙ୍କେଟଶ ଆୟରଙ୍କୁ ୧୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ରାଜସ୍ଥାନ ଟିମକୁ ଫେୟାର ପ୍ଲେ ଆୱାର୍ଡ ମିଳିଛି ।