କନକ ବ୍ୟୁରୋ : ଭୋଟ ଦେଲେ ପୁରସ୍କାର ମିଳିବ । ଯେଉଁ ଗାଁ ଅଧିକ ଲିଡ ଦେବ ସେହି ଗାଁକୁ ଅଧିକ ପୁରସ୍କାର ମିଳିବ । ଭୋଟ ପାଇବା ପାଇଁ ପୁରସ୍କାର ଲାଞ୍ଚ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ । ଆଉ ଏହାକୁ ନେଇ ବିଜେପୁର ରାଜନୀତିରେ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଭୋଟରଙ୍କୁ ଅରୁଣ ସାହୁଙ୍କ ଏଭଳି ଲାଞ୍ଚ ପ୍ୟାକେଜକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ଅରୁଣ ଏଭଳି କହି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଭୋଟରଙ୍କୁ ଲାଞ୍ଚ ଦେଇ ବିଜେଡି ଭୋଟ କିଣୁଛି ବୋଲି ବିଜେପି ଅଭିଯୋଗ ଆଣିଛି । ବିଜେପୁରରେ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର ଚାରପାଲି ଗ୍ରାମରେ ଏକ ନିର୍ବାଚନୀ ସଭାରେ ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ଭାଷଣ ପରେ ଏବେ ଭୋଟ ଦେବା ପାଇଁ ଗାଁ ଗାଁ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହେବ । କାରଣ ଅରୁଣ ସାହୁଙ୍କ ନିଜ ଭାଷଣରେ ଗାଁ ଗୁଡିକ ପାଇଁ ଏମିତି କିଛି ପ୍ୟାକେଜର ଘୋଷଣା କରିଛନ୍ତି ଯାହା କ୍ୱଚିତ ଦେଖା ଯାଇଥାଏ । ଅରୁଣ ନିଜ ଭାଷଣରେ ବିଜେଡିକୁ ଭୋଟ ଦେବା ପାଇଁ କହିବା ପରେ ପ୍ରତି ଗାଁରୁ କିପରି ଅଧିକ ଭୋଟ ଆସିବ ତାହା ପାଇଁ ଏକ ନୂଆ ଫର୍ମୂଲା ଆପଣାଇଥିଲେ । ନିଜ ଭାଷଣରେ ଅରୁଣ କହିଥିଲେ, କଥା ଦେଉଛି ଯେଉଁ ଗାଁ ଯେତେ ଅଧିକା ଲିଡ୍ ଦେବ । ରୀତା ଅପାଙ୍କ ତରଫରୁ, ସରକାରଙ୍କ ତରଫରୁ, ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେହି ଗାଁକୁ ସେତିକି ଅଧିକ ପୁରସ୍କୃତ କରାହେବ । ତେଣୁ ଅଧିକ ପୁରସ୍କାର ପାଇବାକୁ ହେଲେ ଗାଁ ଭିତରେ କମ୍ପିଟେସନ ହେବ । କିନ୍ତୁ ଅରୁଣଙ୍କ ଏଭଳି ଘୋଷଣାକୁ ଜଣେ ସଚେତନ ଭୋଟର କ୍ୟାମେରାରେ କଏଦ କରିଛନ୍ତି ।
ବିଜେଡି ପାଇଁ କିନ୍ତୁ ଏହି ଫମୂର୍ଲା କିଛି ନୂଆ କଥା ନୁହେଁ । ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଠିକ୍ ଏହିଭଳି ଫର୍ମୂଲା ଆପଣାଇଥିଲେ ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟ । ୨୦୧୪ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ବିଜେଡିକୁ ଭୋଟ ନଦେଲେ ତାଙ୍କ ପାଖରେ ଥିବା ଟ୍ରେଜରୀରେ ତାଲା ପଡିଯିବ ବୋଲି କହିଥିଲେ । କାରଣ ଟ୍ରେଜରୀର ଚାବି ତାଙ୍କ ପାଖରେ ଅଛି ତେଣୁ ଶଙ୍ଖ ଦଳକୁ ଭୋଟ ଦେଲେ ଏହି ଟ୍ରେଜରୀ ଖୋଲିବ ନଚେତ ଏହା ବନ୍ଦ ହୋଇଯିବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲେ । ଅନୁରୂପ ଭାବେ ଅରୁଣ ମଧ୍ୟ ଆଜି ଏଭଳି କହିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଗ୍ରାମଞ୍ଚଳ ଭୋଟରଙ୍କୁ ଏଭଳି କହି ଅରୁଣ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ପ୍ରଶ୍ନ ଉଠୁଛି ଅରୁଣଙ୍କ ଏଭଳି ଘୋଷଣା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁନାହିଁ କି? ଏଭଳି କହି ଭୋଟରଙ୍କୁ ଲାଞ୍ଚ ଦେବାକୁ ପ୍ରୟାସ ହେଉନାହିଁ ତ? କେବଳ ନିଦ୍ଦିଷ୍ଟ ଦଳକୁ ଭୋଟ ଦେଲେ ପୁରସ୍କୃତ କରାଯିବ ଏହା ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ନୁହେଁ ତ? ଉପନିର୍ବାଚନ ପ୍ରଚାର ଆରମ୍ଭରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଆଗକୁ କେଉଁ ଉପାୟରେ ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/ARUN-SAHOO.png)