ମମତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭବାନୀପୁରରୁ ପ୍ରିୟଙ୍କା ଦେବେ ଦିଦିଙ୍କୁ ଟକ୍କର ।

484

କନକ ବ୍ୟୁରୋ : ଭବାନୀପୁର ଉପନିର୍ବାଚନରେ ମୁହାଁମୁହିଁ ହେବେ ମମତା-ପ୍ରିୟଙ୍କା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମଏସି ଟିକେଟରୁ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଆଉ ମମତାଙ୍କୁ ମାତ୍ ଦେବାକୁ ମହିଳା କାର୍ଡ ଖେଳିଛି ବିଜେପି । ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ପେଶାରେ ଓକିଲ ଥିବା ପ୍ରିୟଙ୍କା ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଦେଖାଦେଇଥିବା ହିଂସାକାଣ୍ଡ ବିରୋଧରେ ପିଟିସନ ଦାୟର କରିଥିଲେ ।

୪୧ ବର୍ଷିୟା ପ୍ରିୟଙ୍କା କୋଲକାତା ହାଇକୋର୍ଟ ସହ ସୁପ୍ରିମକୋର୍ଟରେ ଓକିଲ ରହିଛନ୍ତି । ଦୀର୍ଘ ଦିନ ହେବ ରାଜନୀତିରେ ଥିବା ପ୍ରିୟଙ୍କା ଏବେ ବିଜେପି ଯୁବମୋର୍ଚ୍ଚାର ଉପାଧ୍ୟକ୍ଷ ପଦରେ ରହିଛନ୍ତି । ୨୦୧୪ରେ ପ୍ରିୟଙ୍କା ବିଜେପିରେ ସାମିଲ ହୋଇଥିଲେ । ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ଥିଲେ ପ୍ରିୟଙ୍କା । ଆଉ ସେବେଠାରୁ ପ୍ରିୟଙ୍କାକ ଉପରେ ଦଳର ନଜର ଥିଲା । ଆଉ ଆଜି ମମତାଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରି ଋଣହୁଙ୍କାର ଦେଇଛି ବିଜେପି ।

ମମତାଙ୍କ ପାଇଁ ଭବାନୀପୁର ଉପ-ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ନଚେତ ମମତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଖସି ଯାଇପାରେ । କାରଣ ବିଧାୟକ ନଥାଇ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡିଥାଏ । ତେଣୁ ଉଭୟ ମମତା ଓ ଟିଏମସି ପାଇଁ ଏହି ଉପ-ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟପଟେ ଶାସନ କ୍ଷମତାରୁ ମମତାଙ୍କୁ ହଟାଇବାକୁ ବିଜେପି ପାଇଁ ଏହା ସବୁଠୁ ବଡ ସୁଯୋଗ । ଯେଉଁଥିପାଇଁ ପୂରା ଋଣନୀତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପୂର୍ବରୁ କେବଳ ଭବାନୀପୁର ଆସନ ପାଇଁ ସାଂସଦ ଅର୍ଜୁନ ସିଂହଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅର୍ଜୁନଙ୍କ ସହ ସାଂସଦ ସୌମିତ୍ର ଖାନ୍ ଓ ଜ୍ୟୋର୍ତିମୟ ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ ।ଏପରିକି ବୁଥ୍ ସ୍ତରରେ ଭୋଟ ଜଗିବାକୁ ଦଳ ୮ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ବାଣ୍ଟିଛି ।

ଭବାନୀପୁର ଆସନ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବାମମୋର୍ଚ୍ଚାରୁ ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଭବାନୀପୁର ଆସନ ସହ ପଶ୍ଚିମବଙ୍ଗର ଆଉ ଦୁଇ ବିଧାନସଭା ଆସନ ଶମସେରଗଞ୍ଜ ଓ ଜାଙ୍ଗିପୁରରେ ମଧ୍ୟ ନିର୍ବାଚନ ହେବ । ତେବେ ଭବାନୀପୁରରୁ ଆଜି ନାମାଙ୍କନପତ୍ର ଦାଖଲ କରିବେ ମମତା ।