ପାଖେଇ ଆସୁଛି ନିର୍ବାଚନ, ତେଜୁଛି ରାଜନୀତି । ଉତ୍ତରପ୍ରଦେଶରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ପ୍ରିୟଙ୍କା ମୋର୍ଯ୍ୟ

111

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହେବାରେ ଲାଗୁଛି ରାଜନୀତି । ପ୍ରତ୍ୟେକ ଦିନ ନେତାଙ୍କ ଦଳ ପରିବର୍ତନ ନେଇ ଖବର ସାମ୍ନାକୁ ଆସିଛି । କଂଗ୍ରେସର ପୋଷ୍ଟର ଗର୍ଲ ଭାବେ ପରିଚିତ ପ୍ରିୟଙ୍କା ମୋର୍ଯ୍ୟ ନିଜ ଦଳ ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ମୁଲାୟମ୍ ସିଂହଙ୍କ ବୋହୂ ପରେ ଏବେ ଶଳା ମଧ୍ୟ ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

ଉତ୍ତରପ୍ରଦେଶରେ ନେତାଙ୍କ ଦଳ ପରିବର୍ତନର ଧାରା ଜାରି ରହିଛି । ନିର୍ବାଚନ ପୂର୍ବରୁ ଏ ଦଳରୁ ସେ ଦଳ ଡିଆଁ ମାରୁଛନ୍ତି ନେତା । ଯାହାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ୟୁପିରେ କଂଗ୍ରେସ ପକ୍ଷରୁ ଚାଲିଥିବା ‘ଲଡକି ହୁଁ ଲଢ୍ ଶକ୍ତି ହୁଁ’ ଅଭିଯାନର ମୁଖ୍ୟ ଚେହେରା ତଥା କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୋର୍ଯ୍ୟ କଂଗ୍ରେସ ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଉସା ତଥା ସପାର ପୂର୍ବତନ ବିଧାୟକ ପ୍ରମୋଦ ଯାଦବ ମଧ୍ୟ ନିଜ ଦଳକୁ ବାଏ ବାଏ କହି ବିଜେପିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ଆହୁରି ସରଗରମ ହୋଇ ଉଠିଛି ୟୁପି ରାଜନୀତି ।

ୟୁପି ନିର୍ବାଚନରେ ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ ସମାଜବାଦୀ ପାର୍ଟି ଏବଂ ସପା ପରିବାରରୁ ଗୋଟିଏ ପରେ ଗୋଟେ ପ୍ରମୁଖ ଚେହେରା ଦଳ ଛାଡି ବିଜେପିର ସାମିଲ ହେଉଛନ୍ତି । ପୂର୍ବରୁô ମୁଲାୟମ ସିଂହ ଯାଦବଙ୍କ ସାନ ବହୁ ଅପର୍ଣ୍ଣା ଯାଦବ ମଧ୍ୟ ବିଜେପରି ସାମିଲ ହୋଇଥିଲେ । ଯାହା ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିକୁ ବଡ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଯୋଗୀ ଆଦିତ୍ୟନାଥଙ୍କ ଗଡ କୁହାଯାଉଥିବା ଗୋରଖପୁର ନିର୍ବାଚନ ମଣ୍ଡଳୀରେ ମଇଦାନକୁ ଓହ୍ଲାଇବା ନେଇ ଘୋଷଣା କରିଛନ୍ତି ଭିମ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାତ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଗୋରଖପୁରରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି ଚନ୍ଦ୍ରଶେଖର ଆଜାଦ । ସେପଟେ ନିର୍ଭୟା ଗଣଦୁଷ୍କର୍ମ ମାମାଲାର ନିର୍ଭୟାଙ୍କ ଓକିଲ ସୀମା କୁସୱାହା ବହୁଜନ ସମାଜବାଦୀ ପାର୍ଟିିରେ ସାମିଲ ହୋଇଛନ୍ତି । ଆଗକୁ ସେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି ।