ଆସାମ ଆଶାରେ ପ୍ରିୟଙ୍କା ଗାନ୍ଧୀ । ଚା’ ବଗିଚାରେ ଶ୍ରମିକଙ୍କ ସହ ମିଶି ଚା ପତି ତୋଳିଲେ ଗାନ୍ଧୀ ପରିବାରର ଲଳନା

201

କନକ ବ୍ୟୁରୋ : ଆସାମକୁ ନିଜ ଅକ୍ତିଆରକୁ ଆଣିବାକୁ ଅଣ୍ଟା ଭଡିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏନେଇ ସେ ଦୁଇଦିନିଆ ଆସାମ ଗସ୍ତରେ ଥିବା ବେଳେ ଆଜି ଗସ୍ତର ଦ୍ୱିତୀୟ ଦିନ । ଗତକାଲି ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ବେଶ୍ ଭାଇରାଲ ହୋଇଥିବା ବେଳେ ଆଜି ଚା ବାଗନା ଶ୍ରମିକ ମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଚିତ୍ର ବି ବେଶ୍ ଚିତାକର୍ଷକ ହୋଇଛି । ଏହାସହ ଆଜି ଆସାମର ତେଜପୁର ଠାରେ ଏକ ବିଶାନ ଜନସଭାକୁ ଶ୍ରୀମତୀ ଗାନ୍ଧୀ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି ।

ଜନସଭା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଚା ବଗିଚାରେ ଶ୍ରମିକ ମାନଙ୍କ ସହ ମିଶିଛନ୍ତି । ସେଠାରେ ସେ ଏକ ଅଲଗା ଆନ୍ଦାଜରେ ଦେଖିବାକୁ ମିଳିଛନ୍ତି । ଚା ବଗିଚାର ମହିଳା ଶ୍ରମିକ ମାନଙ୍କ ପରି ମୁଣ୍ଡରେ ଟୋକେଇ ସହ ପୁରା ଆସାମୀ ବେଶଭୂଷାରେ ନଜର ଆସିଛନ୍ତି ପ୍ରିୟଙ୍କା ।

ଏନେଇ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି କି ଆସାମରେ ବହୁରଙ୍ଗୀ ସଂସ୍କୃତି ଦେଖିବାକୁ ମିଳିଥାଏ । ଯାହାକି ସାରା ଦେଶରେ ଆସାମକୁ ପରିଚିତ କରାଇଥାଏ ବୋଲି ସେ କହିଛନ୍ତି । ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆସାମବାସୀ ପ୍ରତିଶୃତିବଦ୍ଧ । ତେଣୁ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହ ବଞ୍ଚିବାକୁ ଯାହା ସାହାଯ୍ୟ ଦରକାର ତାହା କଂଗ୍ରେସ ହିଁ କେବଳ ଦେଇପାରିବ ବୋଲି ସେ କହିଛନ୍ତି ।

କହିରଖୁ କି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସାମରେ ମୋର୍ଚ୍ଚା ସମ୍ଭାଳୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେପଟେ ଦକ୍ଷିଣ ରାଜ୍ୟ ମାନଙ୍କରେ ଲଗାତର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ । ଏବେ ତାମିଲନାଡୁ ଗସ୍ତରେ ଥିବା ରାହୁଲ ପୁଣିଥରେ କେରଳ ଗସ୍ତ କରିବେ ବୋଲି ସୂଚନା ମିଳିଛି ।