ବାରାଣାସୀରେ ବଡ ସସପେନ୍ସ ! କଂଗ୍ରେସ ପ୍ରବକ୍ତାଙ୍କ ବୟାନକୁ ନେଇ ଚର୍ଚ୍ଚା, କହିଲେ ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଲଢିବା ଏକ ପ୍ରକାର ନିଶ୍ଚିତ ।

219

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ ନିର୍ବାଚନ ନିର୍ବାଚନ ଲଢିବା ଏକପ୍ରକାର ସ୍ଥିର ହୋଇସାରିଛି । ଏଭଳି ମନ୍ତବ୍ୟ ରଖିଛନ୍ତି କଂଗ୍ରେସ ପ୍ରବକ୍ତା ଦୀପକ ସିଂହ । ଦୀପକ ସିଂହ କହିଛନ୍ତି, ବାରାଣାସୀରୁ ନିର୍ବାଚନ ଲଢିବା ପାଇଁ ଏକପ୍ରକାର ନିଷ୍ପତ୍ତି ନେଇସାରିଛନ୍ତି ପ୍ରିୟଙ୍କା । ଆଉ ଯଦି କଂଗ୍ରେସର ଏହି ନେତାଙ୍କ ବୟାନକୁ ବିଶ୍ୱାସକୁ ନିଆଯାଏ, ତେବେ ବାରାଣାସୀରେ ଏଥର ହେବ ବଡ ଲଢେଇ ।

କେବଳ ବାରାଣାସୀ ନୁହେଁ, ସମଗ୍ର ଭାରତବାସୀ ଦେଖିବେ ବଡ ଟକ୍କର । କାରଣ ବାରାଣାସୀରୁ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ ନିର୍ବାଚନରେ ଏହି ଆସନରୁ ବିପୁଳ ସମର୍ଥନ ପାଇ ବିଜୟ ହାସଲ କରିିଲେ ମୋଦି । ସୂଚନା ଅନୁଯାୟୀ, ଆଉ ଦୁଇ ଦିନ ପରେ ବାରାଣାସୀରେ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଆଉ ଏପ୍ରିଲ ୨୬ ତାରିଖରେ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଭରିବେ ମୋଦି ।

ସେପଟେ ବାରାଣାସୀରୁ ନିର୍ବାଚନ ଲଢିବା ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି କଂଗ୍ରେସ ମହାସଚିବ । କିନ୍ତୁ ସେ ଅନେକ ଥର କହିଆସିଛନ୍ତି ଯେ, ଯଦି ଦଳ ତାଙ୍କୁ ଲଢିବା ପାଇଁ କହିବ, ତେବେ ସେ ନିଶ୍ଚୟ ଲଢିବେ । ତେବେ ପ୍ରିୟଙ୍କା ବାରାଣାସୀରୁ ଲଢିବେ ନା ନାହିଁ, ତାହା ଅଳ୍ପ ଦିନ ଭିତରେ ସ୍ପଷ୍ଟ ହୋଇଯିବ । ଆଉ ଏହି ଚର୍ଚ୍ଚା ଓ ଆଲୋଚନା ଭିତରେ ଉତ୍ତରପ୍ରଦେଶରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରିୟଙ୍କା । ବିଭିନ୍ନ ସଂସଦୀୟ କ୍ଷେତ୍ର ବୁଲୁଥିବା ବେଳେ କଂଗ୍ରେସ ପାଇଁ ଭୋଟ୍ ମାଗୁଛନ୍ତି ପ୍ରିୟଙ୍କା ।